ହାଫିଜ୍ ସଇଦ୍ ଉପରେ ଚାବୁକ୍ ? କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେଲା ପାକିସ୍ତାନ

26

କନକ ବ୍ୟୁରୋ: ଭାରତ ଓ ଆମେରିକାର ନିୟମିତ ଚାପ ପରେ ଆତଙ୍କବାଦୀ ଆଇନରେ ସଂଶୋଧନ ଆଣିଲା ପାକିସ୍ତାନ । ନୂଆ ଆଇନ୍ ଆଧାରରେ ପାକିସ୍ତାନ ହାଫିଜ୍ ସଇଦର ଦୁଇଗୋଟି ସଙ୍ଗଠନକୁ ନିଶିଦ୍ଧ ତାଲିକାରେ ରଖିଛି । ଏନେଇ ନୂଆ ଅଧ୍ୟାଦେଶରେ ପାକ୍ ରାଷ୍ଟ୍ରପତି ମମନୁନ୍ ହୁସୈନ୍ ଦସ୍ତଖତ କରିବା ପରେ ହାଫିଜ୍ ସଇଦକୁ ପାକିସ୍ତାନ ଆତଙ୍କବାଦୀ ବିବେଚନା କରିବା ସ୍ପଷ୍ଟ ହୋଇଛି ଓ ଏଥିସହ ହାଫିଜ୍ ସଇଦର ଅଡୁଆ ବଢ଼ିଛି ।

ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ଚାପର ପ୍ରଭାବ । ଜାତିସଂଘ ସୁରକ୍ଷା ପରିଷଦ ବ୍ୟାନ୍ କରିଥିବା ସଙ୍ଗଠନଗୁଡ଼ିକୁ ନିଶିଦ୍ଧସୂଚୀରେ ରଖିଲା ପାକିସ୍ତାନ । ସୂଚୀରେ ହାଫିଜ୍ ପରିଚାଳିତ ଦୁଇଗୋଟି ସଙ୍ଗଠନ ଜମାତ୍ ଉଦ୍ ଦାୱା ଓ ଫଲେହ୍ –ଏ- ଇନସାନିୟତ ରହିଛି । ପ୍ରଚଳିତ ଆତଙ୍କ ନିରୋଧୀ ଆଇନରେ ସଂଶୋଧନ ପାଇଁ ଜାରି ଅଧ୍ୟାଦେଶରେ ପାକ୍ ରାଷ୍ଟ୍ରପତି ମମନୁନ୍ ହୁସୈନ୍ ସ୍ୱାକ୍ଷରକରିଛନ୍ତି ଯାହା ହାଫିଜର ଅଡୁଆ ବଢ଼ାଇଛି । ଅନ୍ତର୍ଜାତୀୟ ଚାପ ଯୋଗୁ ପାକିସ୍ତାନ ହାଫିଜ୍ ସଇଦକୁ ଆତଙ୍କବାଦୀ ବିବେଚନା କରିବା ଏକପ୍ରକାର ସ୍ପଷ୍ଟ ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ଡନରେ ଏହା ପ୍ରକାଶ ହୋଇଥିବା ବେଳେ ଏହାକୁ ଜାତିସଂଘ ସ୍ୱତନ୍ତ୍ର ଦଳର ପାକିସ୍ତାନ ଗସ୍ତର ପ୍ରଭାବ କୁହାଯାଉଛି ।

କିଛି ଦିନ ତଳେ ବ୍ୟାନ ହୋଇଥିବା ସଙ୍ଗଠନ ଗୁଡ଼ିକର ବାସ୍ତବ ସ୍ଥିତି ଜାଣିବା ପାଇଁ ଜାତିସଂଘ ସ୍ୱତନ୍ତ୍ର ଦଳ ପାକିସ୍ତାନ ଗସ୍ତ କରିଥିଲା । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବାରୁ ଜାତିସଂଘ କଟକଣାର ଭୟ ଘାରିଥିଲା ପାକିସ୍ତାନକୁ । ଆମେରିକା ଓ ଭାରତ ସମେତ ଜାତିସଂଘର ଚାପ ଯୋଗୁ ପାକିସ୍ତାନ ଏହି ପଦକ୍ଷେପ ନେଇଥିବା ଡନ୍ ପ୍ରକାଶକରିଛି ।

ପୂର୍ବରୁ ହାଫିଜ୍ର ସଙ୍ଗଠନ ଜମାତ୍ – ଉଦ୍ – ଦାୱାକୁ ଯାଂଚ୍ ତାଲିକାରେ ରଖିଥିଲା ପାକିସ୍ତାନ । ତେବେ ପ୍ରତିବନ୍ଧିତ ହେବାଭୟରେ ସଙ୍ଗଠନର ନାଁବଦଳାଇ ତେହେରିକେ ଆଜାଦି ରଖିଥିଲା ହାଫିଜ୍ । ସେହିପରି ରାଜନୈତିକ ମହତ୍ୱାକାଂକ୍ଷା ରଖି ଲାହୋରରେ ଦଳୀୟ କାର୍ଯ୍ୟାଳୟ ବି ଖୋଲିଥିଲା ଏହି କୁଖ୍ୟାତ ଆତଙ୍କୀ । ମିଲି ମୁସଲିଗ୍ ଲିଗ୍ ତରଫରୁ ହାଫିଜ୍ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିବା ବେଳେ ଆମେରିକା ଏ ନେଇ ଚିନ୍ତାପ୍ରକଟ କରିଥିଲା । ୨୦୦୮ରେ ଆମେରିକା ହାଫିଜ୍ ସଇଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ସହ ତା ମୁଣ୍ଡ ଉପରେ ୧୦ ମିଲିୟନ୍ ଡଲାର ପୁରସ୍କାର ଘୋଷଣା କରିସାରିଛି । ଏହା ବ୍ୟତୀତ ପାକିସ୍ତାନ ଉପରେ ବାରମ୍ବାର ଚାପ ପ୍ରୟୋଗ ବି କରିଛି ଆମେରିକା । ଫଳସ୍ୱରୂପ ହାଫିଜର ସଙ୍ଗଠନକୁ ବ୍ୟାନ କରିଛି ପାକିସ୍ତାନ ।