ଏୟାରଷ୍ଟ୍ରାଇକ୍ ପରେ ଏବେ ବି ଆତଙ୍କିତ ଅବସ୍ଥାରେ ପାକିସ୍ତାନ । ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇଲେ ଇମ୍ରାନ୍, କହିଲେ ପୁଣି ଆକ୍ରମଣ କଲେ ଦିଆଯିବ ଜବାବ ।

344

କନକ ବ୍ୟୁରୋ : ବାଲାକୋଟ ଆକ୍ରମଣ ପରେ ଏବେ ବି ଆତଙ୍କିତ ଅବସ୍ଥାରେ ପାକିସ୍ତାନ । ଭାରତୀୟ ସେନା ପାକିସ୍ତାନ ମାଟିରେ ପଶି ଏୟାରଷ୍ଟ୍ରାଇକ୍ କରିବାକୁ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ପାକର ଭୟ ଛାଡିନି । ଭାରତ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ । ଆଗାମୀ ୧୬ରୁ ୨୦ ତାରିଖ ମଧ୍ୟରେ ଭାରତ ଆଉ ଏକ ଆକ୍ରମଣ ପାଇଁ ଯୋଜନା କରୁଛି ବୋଲି ସେ କହିଛନ୍ତି । ମୂଲତାନରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭରଷା ଯୋଗ୍ୟ ଗୁଇନ୍ଦା ସୂଚନା ଅନୁଯାୟୀ ଭାରତ ଆଉ ଏକ ଆକ୍ରମଣ ପାଇଁ ନୂଆ ଯୋଜନା କରୁଛି । ତେବେ ଏହା ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମାଟିରେ ପଶି ସେହି ମାସ ୨୬ରେ ଜୈସ-ଏ-ମହମ୍ମଦର କ୍ୟାମ୍ପକୁ ଧୂଂସ କରିଥିଲା । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି, ଭାରତ ପୁଣି ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ଅଭିଯୋଗ କରି ପାକିସ୍ତାନ ଆଜି ସେଠାରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କୁ ଡକାଇଛି । ଭାରତ କୌଣସି ପ୍ରକାର ଦୁଃସାହସ କଲେ ତାହାର ଦୃଢ ଜବାବ ଦିଆଯିବ ବୋଲି ପାକିସ୍ତାନ ପକ୍ଷରୁ ତାଙ୍କୁ ଜଣାଇ ଦିଆଯାଇଛି । ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏପର୍ଯ୍ୟନ୍ତ ଏହାର କୌଣସି ଜବାବ ଦେଇନଥିଲେ ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନଥିବାବେଳେ ଅଯଥାରେ ଯୁଦ୍ଧ ବାତାବରଣ ସୃଷ୍ଟି କରୁଛି ।