ଭାରତ ପାଇଁ ସତର୍କ ଘଣ୍ଟି : ଆତଙ୍କବଦୀଙ୍କୁ ସ୍ୱତନ୍ତ୍ରଭାବରେ ତାଲିମ ଦେବା ପାଇଁ ୧୫ ଏକର ଜାଗାରେ ପାକିସ୍ତାନ ପ୍ରସ୍ତୁତ କରୁଛି ସ୍ପେଶାଲ ଶିବିର

25

କନକ ବ୍ୟୁରୋ : ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି ପାକିସ୍ତାନର ଆତଙ୍କବାଦୀ । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ମୁତାବକ ସେଠାରେ ଅର୍ଥାତ ପାକିସ୍ତାନରେ ବିଭିନ୍ନ ଶିବିରରେ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଉଛି । ଯେପରି ଭାବରେ ସେମାନେ ସାରା ବିଶ୍ୱରେ ଅତଙ୍କବାଦ ସୃଷ୍ଟି କରିବେ । ତେବେ ପାକିସ୍ତାନରେ ଏବେ ବଢ଼ି ଚାଲିଛି ଜୈଶ ଆତଙ୍କବାଦୀ ସଂଗଠନର ସାମ୍ରାଜ୍ୟ। ୨୦୦୦ ମସିହାରୁ ପାକର ପଂଜାବ ପ୍ରଦେଶରେ ଗଠନ ହୋଇଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଏବେ ୧୦ ହଜାରରୁ ଅଧିକ ସଶସ୍ତ୍ର ଆତଙ୍କବାଦୀ ରହିଛନ୍ତି । ବାହଓ୍ଵଲପୁରରେ ଏବେ ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ତାଲିମ୍ ଶିବର ନିର୍ମାଣ ସଂପୂର୍ଣ୍ଣ କରିଛି ଜୈଶ । ଏଠାରେ ଏକାବେଳେ ୩୦୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ତାଲିମ୍ ନେବେ। ୧୫ ଏକର ଜାଗାରେ ଏହି ତାଲିମ୍ ପ୍ରତିଷ୍ଠାନ ନିର୍ମାଣ ହୋଇଛି । ମୁଖ୍ୟତଃ ଭାରତକୁ ଟାର୍ଗେଟ୍ କରି ଏହି ତାଲିମ ଶିବିର ସ୍ଥାପନ ହୋଇଛି । ଏହା ଜେଇଏମର ମୁଖ୍ୟ କାର୍ୟ୍ୟାଳୟର ଆକାରଠାରୁ ୫ ଗୁଣ ବଡ଼। ଭାରତରେ ନିହତ ହେଉଥିବା ଜୈଶ ଆତଙ୍କବାଦୀଙ୍କୁ ଏବେ ପେନସନ ପ୍ରଦାନ କରାଯାଉଥିବା ବେଳେ ଅଧିକରୁ ଅଧିକ କଶ୍ମୀର ଯୁବକଙ୍କୁ ପ୍ରଲୋଭନ ଦେଖାଇ ଜୈଶ ନିଜ ଆଡ଼କୁ ଆକୃଷ୍ଟ କରୁଛି ।

ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳ ପିଟିଆଇକୁ ଜିତାଇବାକୁ ଜେଇଏମ୍ ମଧ୍ୟ ଚଳିତ ନିର୍ବାଚନରେ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଥିଲା। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ବେଳେ ଏହାର କୌଣସି କଟକଣା ମଧ୍ୟ କାମ କରୁନାହିଁ । ଫଳରେ ପାକିସ୍ତାନରେ ଏବେ ଆତଙ୍କବାଦୀମାନେ ମୁକ୍ତ ବିଚରଣ କରୁଛନ୍ତି । ସ୍ଥାନୀୟ ଗଣମାଧ୍ୟମ ରେକର୍ଡରୁ ଜଣାଯାଇଛି ଯେ ନୂଆ ବାହଓ୍ଵଲପୁର କୋଠା ପାଇଁ ଜମି ସିଧାସଳଖ ଗ୍ରୁପ୍ର କମାଣ୍ଡର ମାସୁଦ୍ ଆଝାର ଦ୍ୱାରା କିଣାଯାଇଛି । ତାଲିମ ଶିବିର ନିର୍ମାଣ ହୋଇଥିବା ଅଂଚଳରେ ଏକର ପ୍ରତି ଜମିର ମୂଲ୍ୟ ୮୦-୯୦ ଲକ୍ଷ ଟଙ୍କା ରହିଛି । ସମସ୍ତ ଜିହାଦି ଅପେରେସନର ଏହା କେନ୍ଦ୍ରସ୍ଥଳ ହେବ ।

ଏଠାରେ କିଚେନ୍, ମେଡିକାଲ ସୁବିଧା, କ୍ଲାସରମୁ୍, ବିଶାଳ ଅଣ୍ଡରଗ୍ରାଉଣ୍ଡ୍ ଏବଂ ସ୍ୱିମିଂ ପୁଲ୍ଠାରୁ ଆରମ୍ଭ କରି ଖେଳ ପଡ଼ିଆ ମଧ୍ୟ ରହିବ। ଏବେ ଜେଇଏମ ସ୍ଥାନୀୟ କମାଣ୍ଡରମାନେ ଏବେ ପଞ୍ଜାବ ପ୍ରଦେଶର ବିଭିନ୍ନ ମସଜିଦ ଜନ ସମାଗମରେ ଯୋଗ ଦେଇ ପାଣ୍ଠି ଯୋଗାଡ଼ କରୁଛନ୍ତି । ଅନ୍ୟ ଦେଶର ବାରମ୍ବାର ତାଗିଦ ପରେ ପାକିସ୍ତାନ ଉପରେ କୈାଣସି ପ୍ରଭାବ ପକାଉନାହିଁ । ଆତଙ୍କବାଦକୁ ସେଠାରେ ତାଲିମ ଦିଆଯାଇ ଏପରି ଭାବରେ ପ୍ରସ୍ତୁତ କରାଯାଉଛି ଯେ , ସେମାନେ ଯେପରି ଭାବରେ ଅନ୍ୟ ଦେଶରେ ପସି ସେଠାରେ ଆତଙ୍କବାଦ ରଚିବେ । ତେବେ ଏହି କଥା ଜଣାପଡିବା ପରେ ଭାରତ ଅଧିକ ମାତ୍ରାରେ ସତର୍କ ହୋଇଥିବା ଜଣାପଡିଛି । ଦେଶରେ ଆର୍ଥିକ ଅବସ୍ଥା ମାନ୍ଦା ଥିବା ବେଳେ ଚୀନ ଠାରୁ ଅନେକ ସମୟରେ ଋୁଣ ସାହାର୍ଯ୍ୟ ନେଇ ଦେଶ ଚଳାଉଛି । କିନ୍ତୁ ଆତଙ୍କବାଦକୁ ଟଙ୍କା ଖର୍ଚ୍ଚ କରିବାରେ ପାକିସ୍ତାନ ସବୁବେଳେ ଚେଷ୍ଟା କରୁଛି ବୋଲି ସୂଚନା ମିଳିଛି ।