‘ସରିଫ୍’ ନୁହଁନ୍ତି ନୱାଜ୍ ! ପାନାମା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍

20

କନକ ବ୍ୟୁରୋ: ପାନାମା ପେପର ଲିକ୍ ପାଇଁ ନବାଜ ସରିଫଙ୍କ ରାଜନୀତି ଶେଷ ହୋଇଛି । ମନି ଲଣ୍ଡରିଂ, ଦୁର୍ନୀତି ଅଭିଯୋଗରେ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟ । ପାକିସ୍ତାନ ସୁପ୍ରିମକୋର୍ଟର ଆସିଫ ସଇଦଙ୍କ ନେତୃତ୍ୱରେ ୫ ଜଣିଆ ବିଚାରପତି ଙ୍କ ବେଂଚ ନବାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ବିଦେଶରେ ସଂପତି ରଖିବା ଅଭିଯୋଗ ନେଇ ଗତ ବର୍ଷ ପାନାମା ପେପରରେ ସରିଫଙ୍କ ନାମ ପ୍ରକାଶ ପାଇବା ପରେ ପାକିସ୍ତାନରେ ବିଭିନ୍ନ ରାଜନୈତିକ ଦଳ ଆବାମୀ ମୁସଲିମ ଲିଗ୍ , ଜମାତ ଏ ଇସଲାମୀ, ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଖଲ ହୋଇଥିଲା ।

ପରେ ଏନେଇ ମାମଲା ଦାୟର ହେବା ସହ ଏହାର ତଦନ୍ତ ଜେଆଇଟିକୁ ଦିଆଯାଇଥିଲା । ବିଚାର ପରେ ଶେଷରେ ଏଭଳି ରାୟ ସରିଫଙ୍କ ରାଜନୈତିକ କ୍ୟାରିୟରକୁ ସଂପୂର୍ଣ୍ଣ ଧୂଳିସାତ କରିଦେଇଛି । ୧୯୯୦ ରେ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ସେ ସମୟରେ ବିଦେଶରେ ଗଲ୍ଫ ଷ୍ଟିଲ ମିଲ୍ , ବିଶେଷ କରି ଲଣ୍ଡନରେ ଗୁପ୍ତ ଭାବରେ ସଂପତି ରଖିଥିବା ନେଇ ପାନାମା ପେପରରେ ପ୍ରକାଶ ପାଇଥିଲା । ଗତବର୍ଷ ବ୍ରିଟେନରେ ପାନାମା ପେପରରେ ବିଶ୍ୱର ୧୪୦ରୁ ଉର୍ଦ୍ଧ୍ୱ ନେତା ଓ ବହୁ ନାମିଦାମୀ, ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜର ସଂପତି ଗୋପନଭାବେ ବିଭିନ୍ନ ଦେଶରେ ଲୁଚାଇ ରଖିଥିବା ଲକ୍ଷ ଲକ୍ଷ ପୃଷ୍ଠାର ତଥ୍ୟ ପ୍ରକାଶ ପାଇଥିଲା ।

ଯେଉଁଥିରେ ସରିଫଙ୍କ ନାମ ପ୍ରକାଶ ପାଇଥିଲା । ସରିଫଙ୍କର ଲଣ୍ଡନରେ ୪ଟି ଦାମି ଘର ସହ ଆଠଟି ସଂପତିଗତ ମାମଲା ଅଭିଯୋଗ ଆସିଥିଲା । ଯେଉଁଥିରେ ପାକିସ୍ତାନ ବିରୋଧି ଦଳ ଟ୍ୟାକ୍ସ ଚୋରିହୋଇଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଗତ ୨୦ ଏପ୍ରିଲରେ ଲଣ୍ଡନ ଘର କିଣା ଦୁର୍ନୀତିକୁ ନେଇ ଜେଆଇଟି ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧୯୯୯ରେ ମଧ୍ୟ ଏଭଳି ଅଭିଯୋଗ ଆସିଥିବାରୁ ସେ ସମୟରେ ନାସନାଲ ଆକାଂଉଟ ବ୍ୟୁରୋ ୧୯୯୯ରେ ଯାଂଚ ଆରମ୍ଭ କରିଥିଲା । ସରିଫ ପାନାମା ପେପର ଲିକ୍ କୁ ପ୍ରଥମେ ମାନୁନଥିବା ବେଳେ ଏବେ ସୁପ୍ରିମକୋର୍ଟରେ ବିଚାର ପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲା ଶୁଣାଣି ବେଳେ ୩ ହଜାର ସୁରକ୍ଷା କର୍ମୀ କୋର୍ଟ ବାହାରେ ଉପସ୍ଥିତ ଥିଲେ ।