ପାକିସ୍ତାନର ନାଲି ଆଖି । ପୁଲୱାମା ଆତଙ୍କୀ ହମଲା ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ପ୍ରେସମିଟ୍ । କହିଲେ, ଆକ୍ରମଣ କଲେ ଜବାବ ଦେବ ପାକ୍ ।

2,253

କନକ ବ୍ୟୁରୋ: ପୁଣି ଥରେ ବାହାନା କାଢ଼ିଲା ପାକିସ୍ତାନ । ପୁଲୱାମା ଆତଙ୍କବାଦୀ ହମଲା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପ୍ରେସମିଟ୍ । ପୁଣି ଆତଙ୍କୀ ହମଲା ଘଟଣା ଉପରେ ଦୋଷ ଛଡ଼ାଇ ଇମ୍ରାନ କହିଲେ, ପ୍ରମାଣ ନଥାଇ ପାକିସ୍ତାନ ଉପରେ ମିଥ୍ୟା ଆରୋପ ଲଗାଉଛି ଭାରତ । ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ  ତେବେ ଏହାର ଜାବବ୍ ଦେବାକୁ ପ୍ରସ୍ତୁତ ଅଛି ପାକିସ୍ତାନ ବୋଲି ନାଲି ଆଖି ଦେଖାଇଛନ୍ତି ଇମ୍ରାନ୍ । ଭାରତ ସରକାରଙ୍କୁ ଜବାବ ଦେଉଛି ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି କହି ଦୋଷ ଛଡ଼ାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ।

ଏପରିକି ଆତଙ୍କବାଦୀ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଜବାବ ଦେଇ ଇମ୍ରାନ୍ କହିଛନ୍ତି ଯେ, ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଆତଙ୍କବାଦୀ କାର୍ଯ୍ୟାକଳାପର ସମସ୍ତ ଯାଞ୍ଚ କରିବାକୁ ପ୍ରସ୍ତୁତ ଅଛି ପାକିସ୍ତାନ । କାରଣ ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ଏହାକୁ ଶେଷ କରିବା କାହା ହାତରେ ନାହିଁ ବୋଲି କହିଛନ୍ତି ଇମ୍ରାନ୍ । ଆତଙ୍କବାଦୀଙ୍କ ଯୋଗୁଁ ପାକିସ୍ତାନର ନାଁ ବିଶ୍ୱ ଦରବାରରେ ଖରାପ ହେଉଛି ବୋଲି କହିଛନ୍ତି ଇମ୍ରାନ୍ ।

ଗତ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କୀ ହମଲାରେ ୪୦ ରୁ ଉଦ୍ଧ୍ୱର୍ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଯାହାକୁ ନେଇ ପାକିସ୍ତାନ ବିରୋଧରେ ଦେଶବ୍ୟାପୀ ବିରୋଧ କରାଯାଇଛି । କେବଳ ଭାରତ ନୁହେଁ ଜାତି ସଂଖର ବିଭିନ୍ନ ଶକ୍ତିଶାଳୀ ଦେଶ ପାକିସ୍ତାନକୁ ନେଇ ନିନ୍ଦା କରିଛନ୍ତି । ଏପରିକି ପାକିସ୍ତାନକୁ ଏକ ଘରକିଆ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ବିଭିନ୍ନ କ୍ଷେତ୍ରରୁ ପାକ୍ କୁ ବାସନ୍ଦ ଏବଂ ବ୍ୟାନ କରୁଛି ଭାରତ ।