ପୁଣି ଚର୍ଚ୍ଚାରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ : ଫଟୋ ଉଠାଇବା ପାଇଁ ମାଗିଆଣି ୱେଷ୍ଟକୋର୍ଟ ପିନ୍ଧିିଲେ ଇମ୍ରାନ ଖାନ

28

କନକ ବ୍ୟୁରୋ : ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ଇମ୍ରାନଙ୍କ କୋର୍ଟ । ତେବେ ପାକିସ୍ତାନ ଜାତୀୟ ଆସେମବ୍ଲିରେ ଏକ ରୋଚକ ଘଟଣା ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ୧୮ ତାରିଖରେ ଶପଥ ନେବାକୁ ଥିବା ପାକିସ୍ତାନ ତେହେରିକ-ଇ -ଇନସାଫ (ପିଟିଆଇ) ପାର୍ଟି ମୁଖ୍ୟ ଇମ୍ରାନ ଖାଁକୁ ନେଇ ଏହି ଖବରଟି ବର୍ତ୍ତମାନ ସୋସିଅଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜାତୀୟ ଆସେମବ୍ଲିର ରେଜିଷ୍ଟ୍ରସନ କାର୍ଡ ପାଇଁ ଫଟୋ ଉଠାଇବା ପାଇଁ ଇମ୍ରାନ ଖାଁ ଜାତୀୟ ଆସେମବ୍ଲିର ଜଣେ କର୍ମଚାରୀଙ୍କ ୱେଷ୍ଟକୋଟ ମାଗିଆଣି ପିନ୍ଧିବା ଓ ଏହାକୁ ପିନ୍ଧି ଫଟୋ ଉଠାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

 

ପାକିସ୍ତାନର ୧୫ତମ ଜାତୀୟ ଆସେମବ୍ଲିର ପ୍ରଥମ ଦିନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଏହାର ସଦସ୍ୟଭାବେ ଗତକାଲି (ସୋମବାର) ଶପଥ ଗ୍ରହଣ କରିବାକୁ ଜାତୀୟ ଆସେମବ୍ଲିକୁ ଆସିଥିଲେ ଇମ୍ରାନ ଖାଁ । ଜାତୀୟ ଆସେମବ୍ଲିର ବିଦାୟୀ ବାଚସ୍ପତି ଆୟାଜ ସିଦ୍ଦିକ ଇମ୍ରାନ ଖାଁକୁ ଶପଥ ପାଠ କରାଇଥିଲେ । ତେବେ ଇମ୍ରାନ ଖାଁ ଜାତୀୟ ଆସେମବ୍ଲିକୁ ଶପଥ ଗ୍ରହଣ ପାଇଁ କେବଳ ଧଳା ସାଲଓ୍ଵାର କମିଜ ପନ୍ଧି ଆସିଥିଲେ। ସଂସଦର ରେଜିଷ୍ଟ୍ରେସନ କାର୍ଡରେ ଲଗାଯିବାକୁ ଥିବା ଫଟୋ ପାଇଁ ଇମ୍ରାନ ଫଟୋ ଉଠାଇବାକୁ ଗଲା ବେଳେ ଏକ ୱେଷ୍ଟକୋଟ ଚାହିଁଥିଲେ । ତେଣୁ ଜାତୀୟ ଆସେମ୍ଲିର ଜଣେ କର୍ମଚାରୀ ନିଜର କଳା ରଙ୍ଗର ୱେଷ୍ଟକୋଟଟିକୁ ଓହ୍ଲାଇ ଇମ୍ରାନ ଖାଁକୁ ଦେବା ସହିତ ଏହାକୁ ପିନ୍ଧିବାରେ ଇମ୍ରାନଙ୍କୁ ସହଯୋଗ କରିଥିଲେ। ଏହି ୱେଷ୍ଟକୋଟ ପିନ୍ଧି ଇମ୍ରାନ ଖାଁ ସେଠାରେ ପଡ଼ିଥିବା ଏକ ଷ୍ଟୁଲରେ ବସି ଫଟୋ ଉଠାଇଥିଲେ।