ବାଂଲାଦେଶକୁ ୭ ରନରେ ଅଲଆଉଟ କରିନପାରି ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ମ୍ୟାଚ୍ ମଝିରୁ ଶେଷ ହେଲା ପାକିସ୍ତାନର ବିଶ୍ୱକପ ଅଭିଯାନ ।

1,402

ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ଟାଇଟଲ ରେସରୁ ବାଦ୍ ପଡିଲା ପାକିସ୍ତାନ । ସେମିଫାଇନାଲରେ ଏଣ୍ଟ୍ରି ପାଇଁ ଆଜି ପାକିସ୍ତାନ ମୈଦାନକୁ ଓହ୍ଲାଇଥିବା ବେଳେ ମଝି ମ୍ୟାଚରୁ ହିଁ ସର୍ଫରାଜ ସିପାହୀଙ୍କ ବିଶ୍ୱକପ ଅଭିଯାନ ଶେଷ ହୋଇଛି । ୧୯୯୨ର ଏହି ବିଶ୍ୱକପ ଚାମ୍ପିୟନ ଟିମ୍ ସେମିଫାଇନାଲ ରେସରୁ ବାଦ ପଡିବା ପରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇଛନ୍ତି ।

ସବୁଠୁ ବଡ କଥା ହେଉଛି, ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ଫଳାଫଳ ଆସିବା ପୂର୍ବରୁ ବିଶ୍ୱକପରୁ ବିଦାୟ ନେଇଛି ପାକିସ୍ତାନ । ଖରାପ ରନ୍ ରେଟ୍ ଯୋଗୁଁ ପାକିସ୍ତାନ ଏହି ଦଶା ଭୋଗିଛି । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୩୧୫ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ସେମିଫାଇନାଲ ଟିକେଟ ହାତେଇବା ପାଇଁ ବାଂଲାଦେଶକୁ ମାତ୍ର ୭ କିମ୍ବା ଏହାଠାରୁ କମ୍ ରନରେ ହରାଇବା ପାଇଁ ଟାର୍ଗେଟ ମିଳିଥିଲା ।

ତେବେ ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରର ପଞ୍ଚମ ବଲରେ ପାକିସ୍ତାନର ସେମିଫାଇନାଲ ଆଶା ମଉଳି ଯାଇଥିଲା । ବାଂଲାଦେଶ ସ୍କୋରବୋର୍ଡରେ ୮ ରନ୍ ହେବା କ୍ଷଣି ପାକିସ୍ତାନର ବିଶ୍ୱକପ ଅଭିଯାନ ଶେଷ ହୋଇଥିଲା । ଏହାପୂର୍ବରୁ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ସହ ସେମିଫାଇନାଲ ଆଶା ଉଜ୍ଜୀବୀତ କରିଥିଲା । କିନ୍ତୁ ବଡ ସ୍କୋର କରିବାରେ ବିଫଳ ହେବାରୁ ପାକିସ୍ତାନ ମ୍ୟାଚ୍ ମଝିରୁ ହିଁ ବିଶ୍ୱକପରୁ ବିଦା ହୋଇଥିଲା ।