ଓଡ଼ିଶା ଆସିବେ ନାହିଁ ପାକିସ୍ତାନୀ ଆଥଲେଟ୍ : ଭିସା ଦେବା ନେଇ ଗୃହ ମନ୍ତ୍ରାଳୟରେ ଅନିଶ୍ଚିତତା ଜାରି

34

କନକ ବ୍ୟୁରୋ : ପାକିସ୍ତାନ ଖେଳାଳି ଭୁବନେଶ୍ୱର ଆସିବେ କି ନାହିଁ । ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଜୁଲାଇ ୬ରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୪ ଦିନିଆ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ । ଆଉ ଏଥିରେ ୪୫ଟି ଦେଶରୁ ଅନେକ ବିଶ୍ୱସ୍ତରୀୟ ଖେଳାଳି ଯୋଗ ଦେଉଥିବା ବେଳେ ପାକିସ୍ତାନ ଯୋଗ ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

୬ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ସମ୍ମାନଜନକ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ପାକିସ୍ତାନ ଯୋଗ ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି କ୍ରୀଡ଼ା କୁମ୍ଭରେ ଏସିଆର ୪୫ଟି ଦେଶରୁ ୮୧୫ ଜଣ ଖେଳାଳି ଯୋଗ ଦେଉଥିବାବେଳେ ୧୦ରୁ ଅଧିକ ଅଲିମ୍ପିକ୍ ପଦକପ୍ରାପ୍ତ ଖେଳାଳି ବି ଯୋଗ ଦେଉଛନ୍ତି । ମାତ୍ର ଭାରତରୁ ଭିସା ମିଳିନଥିବା କାରଣରୁ ପାକିସ୍ତାନର ଆଥଲେଟମାନେ ଏଥିରେ ଯୋଗ ଦେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଆଜି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବେଳେ ଏକଥା ପ୍ରକାଶ କରିଛନ୍ତି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଆଡିଲେ ସୁମରିୱାଲା ।

ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ସବୁ ଦେଶ ଭଳି ପାକିସ୍ତାନର ଆଥଲେଟମାନଙ୍କୁ ମଧ୍ୟ ଚାମ୍ପିଅନସିପରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲା । ଏଥିପାଇଁ ପାକିସ୍ତାନର ୧୦ ଜଣ ଖେଳାଳି ରେଜିଷ୍ଟ୍ରେସନ୍ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ସେମାନଙ୍କ ଭିସା ମଂଜୁର କରିନଥିବାରୁ ପାକ୍ ଖେଳାଳି ଭୁବନେଶ୍ୱର ଆସିବା ନେଇ ଅନିଶ୍ଚିତତା ଜାରି ରହିଛି । କେବଳ ଭାରତ ବାହାରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ଓ ହକି ମ୍ୟାଚ୍ ହୋଇପାରିଛି । ଗତ ଡିସେମ୍ବର ମାସରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ହୋଇଥିବା ଏଫ୍ଆଇଏଚ୍ ଜୁନିଅର୍ ୱାର୍ଲଡ କପ୍ ରେ ଯୋଗ ଦେବା ପାଇଁ ପାକିସ୍ତାନକୁ ଭିସା ଦେଇନଥିଲା ଭାରତ । ସେହିଭଳି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏସିଅନ୍ ରେସ୍ଲିଂ ଚାମ୍ପିଅନସିପ୍, ଗତ ମାସରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ସ୍ନୁକର୍ ଚାମ୍ପିଅନସିପରେ ବି ଯୋଗ ଦେଇପାରିନଥିଲା ପାକିସ୍ତାନ । ତେବେ ଭୁବନେଶ୍ୱର ସବୁ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି କ୍ରୀଡ଼ା ସଚିବ ।

ଶେଷ ମୁହୂର୍ତ୍ତରେ ଝାଡ଼ଖଣ୍ଡ ସରକାର ଏହି କ୍ରୀଡ଼ାକୁମ୍ଭକୁ ଆୟୋଜନ କରିବାକୁ ମନା କରିଦେବା ପରେ ଏପ୍ରିଲ ମାସରୁ ଓଡ଼ିଶା ସରକାର ଏହାକୁ ଭୁବନେଶ୍ୱରରେ ଆୟୋଜନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଥିଲେ । ମାତ୍ର ତିନି ମାସ ଭିତରେ ସଜେଇ ହୋଇଯାଇଛି କଳିଙ୍ଗ ଷ୍ଟାଡିୟମ୍ ।

ଦେଖନ୍ତୁ ଏହି ଭିଡ଼ିଓ –