କେନ୍ଦ୍ରର ନିଷ୍ପତି ପରେ କାଶ୍ମୀରରେ ନିରବତା, ହେଲେ ଗର୍ଜିଲା ପାକିସ୍ତାନ । କହିଲା ଏକପାଖିଆ ନିଷ୍ପତି ନେଇପାରିବନି ଭାରତ, ପାକ୍ ଗଣମାଧ୍ୟମରେ ନିଷ୍ପତିକୁ ସମାଲୋଚନା ।

381

କନକ ବ୍ୟୁରୋ : କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତିରେ ବିଚଳିତ ହୋଇ ପଡିଛି ପାକିସ୍ତାନ । ମୋଦି ସରକାରଙ୍କ ନିଷ୍ପତିକୁ ବେଆଇନ୍ ବୋଲି କହିଛି, ଇମ୍ରାନ ସରକାର । ପାକ୍ ଗଣମାଧ୍ୟମରେ ଭାରତର ନିଷ୍ପତିକୁ ଏକଚାଟିଆ ବୋଲି ଦର୍ଶାଯାଇଛି । ସେପଟେ ଅନ୍ୟ ଅନ୍ୟ ପ୍ରମୁଖ ଗଣମାଧ୍ୟମରେ ଭାରତ ସରକାରଙ୍କ ନିଷ୍ପତି ଦୁଇ ଦେଶ ମଧ୍ୟରେ ଆହୁରି ଉତ୍ତେଜନା ବଢାଇବ ବୋଲି ଦର୍ଶାଯାଇଛି ।

ପାକ୍ ନିଦ ହଜାଇଲା ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ । ଭାରତର ନିଷ୍ପତ୍ତିରେ ବିଚଳିତ ହେଲା ପଡୋଶୀ । ଜାମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତି ପରେ ବିଚଳିତ ହୋଇପଡିଛି ପାକିସ୍ତାନ୍ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟି ଟ୍ୱିଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛି । ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବେଆଇନ ବୋଲି କହିଛି ଇମ୍ରାନଙ୍କ ଦଳ । ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ବିବାଦ ସ୍ଥଳ ଘୋଷଣା କରାଯାଇଥିବା ଜାମ୍ମୁକାଶ୍ମୀରରେ ଭାରତ ସରକାରଙ୍କ ଏକପାଖିଆ ନିଷ୍ପତି କୌଣସି ପରିବର୍ତନ କରିପାରିବ ନାହିଁ ବୋଲି କହିଛି ପିଟିଆଇ । ଏପରିକି ଏହାର ସୁରକ୍ଷା ପାଇଁ ପାକିସ୍ତାନ ସମସ୍ତ ବିକଳ୍ପ ଉପରେ ବିଚାର କରିବ ବୋଲି କହିଛି ।

ସମାନ ଢଙ୍ଗରେ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପକୁ ସମାଲୋଚନା କରିଛି ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନ୍ ନ୍ୟୁଜ । ଆର୍ଟିକିଲ ୩୭୦କୁ ଉଚ୍ଛେଦ କରିବା ପାଇଁ ମୋଦି ସରକାର ତରବରିଆରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ବଳରେ ସଂକଳ୍ପ ଆଣିଛନ୍ତି । ତେଣୁ ଏପରି ନିଷ୍ପତି କରି ଜାମ୍ମୁକାଶ୍ମୀରରେ ଜାତି ଆଧାରରେ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟକୁ ଭାଗ ଭାଗ କରି ଏକ ମୁସଲମାନ ବହୁଳ ରାଜ୍ୟକୁ ହିନ୍ଦୁ ବହୁଳ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି ।

ଆମେରିକାର ପ୍ରମୁଖ ଗଣମାଧ୍ୟମ ଦ୍ୱି ୱାସିଂଟନ୍ ପୋଷ୍ଟରେ ଶୀର୍ଷକ ରହିଛି, ଭାରତ କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର କରି ଏହି ଅଂଚଳରେ ଉତ୍ତେଜନାକୁ ବଢାଇ ଦେଇଛି । ଗଣମାଧ୍ୟମ ଆକଳନ କରିଛି ଯେ, ଏଭଳି ନିଷ୍ପତି ପରେ ନୂଆଦିଲ୍ଲୀ ଓ ଜାମ୍ମୁକାଶ୍ମୀର ମଧ୍ୟରେ ସଂପର୍କ ଆହୁରି ବିଗିଡି ପାରେ । ସେହିପରି ଲେଖିଛ, ଆର୍ଟିକିଲ ୩୭୦ ଏ କର୍ଣ୍ଣରଷ୍ଟୋନ ଅଫ କାଶ୍ମୀର୍ସ ଇନକ୍ଲୁଜନ୍ ଇନ୍ ଇଣ୍ଡିଆ । ଅର୍ଥାତ କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ ଆର୍ଟିକିଲ ୩୭୦ ଏକ ଭିତି ପ୍ରସ୍ତର ହେବ ।

ଲଣ୍ଡନରୁ ପ୍ରକାଶିତ ଦି ଗାର୍ଡିୟାନ ଲେଖିଛି କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ପ୍ରତ୍ୟାହାର ଓ ଏହାକୁ ଦୁଇଭାଗ କରିଦେବାର ନିଷ୍ପତି ପାକିସ୍ତାନ ସହ ସଂପର୍କ ବିଗାଡିବ । ଏପରିକି ଜାମ୍ମୁକାଶ୍ମୀରରେ ମଧ୍ୟ ପ୍ରତିବାଦର ସ୍ୱର ଉଠିବ । ଏପରିକି କାଶ୍ମୀର ପ୍ରସଙ୍ଗରେ ଏହା ସବୁଠାରୁ କଠୋର ପଦକ୍ଷେପ ବୋଲି ବର୍ଣ୍ଣନା କରିଛି ଏହି ପ୍ରମୁଖ ଗଣମାଧ୍ୟମ ।

ଆଉଏକ ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ଅନୁସାରେ ଏବେ କାଶ୍ମୀରରେ ଉତ୍ତେଜନା ରହିଛି । ଏବଂ ମୋଦି ସରକାରଙ୍କ ସାନି ନିଷ୍ପତି ପରେ ଏହି ଉତ୍ତେଜନା ଆହୁରି ବଢିବ । କିନ୍ତୁ ପଦକ୍ଷେପକୁ ଜାମ୍ମୁକାଶ୍ମୀର ବାସୀଙ୍କ ଦୃଷ୍ଟିରୁ ଉଚିତ ବୋଲି ଦର୍ଶାଇଛି ବିବିସି ।