ପାକିସ୍ତାନର ଟିଭି ଚ୍ୟାନେଲରେ ଲାଇଭ ଡିବେଟ୍ ବେଳେ ହଙ୍ଗାମା । ନେତା ଓ ପତ୍ରକାରଙ୍କ ମଧ୍ୟରେ ଆଲୋଚନା ବେଳେ ଠେଲାପେଲା, ଭାଇରାଲ ହେଲା ଭିଡିଓ ।

180

କନକ ବ୍ୟୁରୋ : ଲାଇଭ ଡ଼ିସକ୍ସନ ଚାଲିଥିବା ବେଳେ ରାଗିଗଲେ ନେତା । ନେତାଙ୍କ ରାଗର ଶିକାର ହେଲେ ସାମ୍ବାଦିକ । ଏପରି ଘଟଣା ପାକିସ୍ତାନ ନ୍ୟୁଜ ଚ୍ୟାନେଲରେ ଦେଖିବାକୁ ମିଳିଛି । ପିଟିଆଇ ନେତା ଓ ପାନେଲିଷ୍ଟ ଥିବା ଜଣେ ନେତା, ବରିଷ୍ଠ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଲାଇଭ୍ ଡିବେଟ୍ ଚାଲିଥିବା ବେଳେ ହଠାତ ଦେଖିବାକୁ ମିଳିଥିଲା ମାରପିଟ୍ । ପାନେଲିଷ୍ଟ ଥିବା ପିଟିଆଇ ବରିଷ୍ଠ ନେତା ମସରୁର ଅଲି ରାଗିଯାଇ ସାମ୍ବାଦିକ ଇମତିୟାଜ ଖାନଙ୍କୁ ମାଡ଼ ମାରିଥିଲେ । ଲାଇଭ ଡିବେଟ୍ ଚାଲିଥିବା ବେଳେ ଇମ୍ରାନଙ୍କ ନେତା ଓ ସାମ୍ବାଦିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଆଉ ଏହା ପରର ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ହାତାହାତି ହୋଇଥିଲେ । ପାକିସ୍ତାନ ତେହେରିକ-ଏ-ଇନସାଫର ନେତା ମସରୁର ଅଲି ଏବଂ କରାଚି ପ୍ରେସ କ୍ଲବର ପ୍ରେସିଡେଂଟ ଇମତିଆଜ ଖାନଙ୍କ ମଧ୍ୟରେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉଭୟ ପାକିସ୍ତାନର ଏକ ଲାଇଭ ଡ଼ିବେଟରେ ସାମିଲ ହୋଇଥିଲେ । ଆଲୋଚନା ମଧ୍ୟ ଚାଲିଥିଲା । ହେଲେ ହଠାତ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ହୋଇ ପିଟିଆଇ ନେତା ନିଜ ସ୍ଥାନରୁ ଉଠିପଡି ବରିଷ୍ଠ ସାମ୍ବାଦିକଙ୍କ ହାତଧରି ଅଚାନକ ତାଙ୍କୁ ଠେଲି ଦେଇଥିଲେ । ଏଥିରେ ତଳେ ପଡ଼ି ଯାଇଥିଲେ ସାମ୍ବାଦିକ । ପୁଣିଥରେ ସାମ୍ବାଦିକ ଜଣକ ତଳୁ ଉଠିବା ମାତ୍ରେ ମସରୁର ଅଲି ତାଙ୍କୁ ଚାପୁଡା ମାରିଥିଲେ । ଏହାପରେ ମସରୁରଙ୍କୁ ଜାବୁଡି ଧରି ଦେଇଥିଲେ ଇମତିୟାଜ । ସେଠାରେ ଉପସ୍ଥିତ କ୍ର‌୍ୟୁ ମେମ୍ବର ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ପରେ ପୁଣି ଥରେ ଆରମ୍ଭ ହୋଇଥିଲା ଆଲୋଚନା ।

ଏହି ଘଟଣାର ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓକୁ ଦେଖି ଲୋକ ଇମ୍ରାନ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ସାମ୍ବାଦିକ ନାୟଲା ଇନାୟତ ଲେଖିଛନ୍ତି, ଏ ହେଉଛି ନୂଆ ପାକିସ୍ତାନ । ପିଟିଆଇର ମସରୁର ଅଲି, କରାଚି ପ୍ରେସ କ୍ଲବର ପ୍ରେସିଡେଂଟକୁ ଲାଇଭ ଶୋରେ ଆକ୍ରମଣ କରୁଛନ୍ତି । ଏହି ଭିଡିଓକୁ ବେଶ ସମାଲୋଚନା କରାଯାଇଛି ।