ପାକିସ୍ତାନ ସେନା ଆଗରେ ମୁଣ୍ଡ ନୁଆଁଇଲେ ନୱାଜ ସରକାର : ସୂଚନା ମନ୍ତ୍ରୀଙ୍କୁ ପଦରୁ ହଟାଇଲେ ପ୍ରଧାନମନ୍ତ୍ରୀ

18

କନକ ବ୍ୟୁରୋ : ପାକିସ୍ତାନ ସେନା ଆଗରେ ମୁଣ୍ଡ ନୁଆଁଇଲେ ନୱାଜ ସରକାର । ସୂଚନା ମନ୍ତ୍ରୀଙ୍କୁ ପଦରୁ ହଟାଇଛନ୍ତି ପ୍ରଧାନମନ୍ତ୍ରୀ ନୱାଜ ସରିଫ । ପାକିସ୍ତାନ ସରକାର ଓ ସେନା ମଧ୍ୟରେ ମତଭେଦ ଥିବା ଖବର କିଛି ଦିନ ତଳେ ଡନ୍ ନ୍ୟୁଜରେ ପ୍ରକାଶିତ ହୋଇଥିଲା । ଯେଉଁଥି ପାଇଁ ସୂଚନା ମନ୍ତ୍ରୀ ପରଭେଜ୍ ରସିଦଙ୍କୁ ଦାୟୀ କରାଯାଇଛି । ଆଉ ସେନାର ଚାପ ଆଗରେ ରସିଦଙ୍କୁ ବଳି ପକାଇଛନ୍ତି ସରିଫ ସରକାର ।

ଏ ସଂପର୍କରେ ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କି ଏପର୍ଯ୍ୟନ୍ତ ମିିଳିଥିବା ପ୍ରମାଣରୁ ଜଣା ପଡୁଛି କି ସୂଚନା ମନ୍ତ୍ରୀଙ୍କ ଭୁଲ୍ ପାଇଁ ଏପରି ଘଟଣା ଘଟିଛି । ତେଣୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ପରଭେଜ୍ ରସିଦଙ୍କୁ ପଦ ଛାଡିବାକୁ କୁହାଯାଇଛି ।

ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଏହି ଘଟଣାର ଆରମ୍ଭ ହୋଇଥିଲା । ଡନ୍ ନ୍ୟୁଜରେ ଖବର ପ୍ରକାଶ ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ସରିଫ କହିଥିଲେ ଯେ ସେନା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ନଚେତ୍ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ ହୋଇଯିବ ।