ପାଇଲଟଙ୍କ ନିଷ୍ପତିରେ ଖୁସି ହୋଇ ତାଳିମାରିଲେ ପାକ୍ ଖେଳାଳି । ବିମାନ କର୍ମଚାରୀଙ୍କ ସହ ଝଗଡା କରିବାରୁ ଓଡିଆ ସାଂସଦ ଓ ମାଙ୍କୁ ଓହ୍ଲାଇବା ପାଇଁ କହିଥିଲେ ବିମାନ ପାଇଲଟ

746

କନକ ବ୍ୟୁରୋ: ନୂଆ ଦିଲ୍ଳୀରୁ ଭିସ୍ତାରା ବିମାନର ପାକିସ୍ତାନ ଖେଳାଳି ଭୁବନେଶ୍ୱର ଆସୁଥିବାବେଳେ ଘଟିଥିବା ଘଟଣାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିମାନର ପାଇଲଟଙ୍କ କାର୍ଯ୍ୟକୁ ଜୋରଦାର ପ୍ରଶଂସା କରିଛନ୍ତି ବିଶ୍ୱ ହକି କପରେ ଯୋଗଦେବା ପାଇଁ ବିମାନରେ ଆସୁଥିବା ପାକିସ୍ତାନୀ ହକି ଦଳର ଖେଳାଳି । ପାଇଲଟଙ୍କ ନିଷ୍ପତିରେ ଖୁସି ହେବା ସହ ସେମାନେ ତାଳିବଜାଇ ପ୍ରଶଂସା କରିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଳୀରୁ ଭୁବନେଶ୍ୱରକୁ ଭିସ୍ତାରା ବିମାନରେ ଜଣେ ଓଡିଶାର ସାଂସଦ ଓ ତାଙ୍କ ମାଆଙ୍କ ସହ ଆସୁଥିଲେ । ଏହି ସମୟରେ ଲଗେଜ ରଖିବାକୁ ନେଇ ବିମାନକର୍ମଚାରୀଙ୍କ ସହ ଝଗଡା କରିଥିଲେ ସାଂସଦଙ୍କ ମାଆ । ଏନେଇ ବିମାନର ପାଇଲଟଙ୍କୁ ଜଣାଇ ଥିଲେ ଏୟାର ହୋଷ୍ଟେସ୍ । ତାପରେ ସାଂସଦଙ୍କ ମାଆଙ୍କୁ ସୁରକ୍ଷା କାରଣ ଦର୍ଶାଇ ବିମାନରୁ ଓହ୍ଲାଇଦେବା ପାଇଁ କହିଥିଲେ ପାଇଲଟ୍ । କିନ୍ତୁ ସାଂସଦଙ୍କ ମାଆ କ୍ଷମା ମାଗିବାରୁ ୩୦ ମିନିଟ୍ ବିଳମ୍ବରେ ବିମାନ ଉଡାଣ ଆରମ୍ଭ କରିଥିଲା । ଏସବୁ ଘଟଣାକୁ ଦେଖୁଥିଲେ ବିମାନରେ ଥିବା ପାକିସ୍ତାନୀ ଖେଳାଳି । ଆଉ ତାପରେ ପାଇଲଟ ଓ ଏୟାର ହୋଷ୍ଟେସଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ପାକ୍ ଖେଳାଳି ।

ଉଲ୍ଲେଖ ଥାଉ କି, ଭୁବନେଶ୍ୱରରେ ପହଂଚିଛନ୍ତି ପାକିସ୍ତାନ, ବେଲଜିୟମ ଓ ନେଦରଲାଣ୍ଡ ହକି ଦଳ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବାପରେ ପାକିସ୍ତାନ ଦଳକୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି । ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ ସ୍ୱସ୍ତି ପ୍ରିମିୟମ ପର୍ଯ୍ୟନ୍ତ ଏହି ଦେଶର ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ଶନିବାର ପଂଜାବ ୱାଘା ବର୍ଡର ଦେଇ ଭାରତକୁ ପ୍ରବେଶ କରିଥିଲେ ପାକିସ୍ତାନୀ ଦଳ । ତାପରେ ଦିଲ୍ଲୀରୁ ବିମାନବନ୍ଦରରୁ ଭୁବନେଶ୍ୱରରେ ଆସି ପହଂଚିଥିଲେ ପାକିସ୍ତାନର ହକି ଟିମ୍ । ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ଓଡିଶା ପୋଲିସ । ବିଶ୍ୱକପ ହକି ପ୍ରତିଯୋଗିତାରେ ପାକିସ୍ତାନ ଦଳକୁ ସ୍ଥାନୀୟ ଶିବସେନା ନେତା ବିରୋଧ କରୁ୍ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଟିମର ଗସ୍ତ କାର୍ଯ୍ୟକ୍ରମକୁ ସ୍ପଷ୍ଟ କରାଯାଇ ନଥିଲା ।