ଭୁବନେଶ୍ୱରର ଗୌସିଆ ମସଜିଦରେ ନମାଜ ପଢିଲେ ପାକ୍ ଖେଳାଳି । କୋଚ୍ କହିଲେ, ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଦେଖିବାକୁ ଚାହୁଁଛି

204

କନକ ବ୍ୟୁରୋ : ଭୁବନେଶ୍ୱର ମସଜିଦରେ ପାକିସ୍ତାନ ଖେଳାଳି । ହକି ବିଶ୍ୱକପରେ ଭାଗ ନେଇଥିବା ପାକିସ୍ତାନ ଖେଳାଳି ଆଜି ଭୁବନେଶ୍ୱରର ଗୌସିଆ ମସଜିଦରେ ନମାଜ ପାଠ କରିଛନ୍ତି । ପାକିସ୍ତାନ ଖେଳାଳି ନମାଜ ପାଠ କରିବାକୁ ଆସିଥିବା ଜାଣିବା ପରେ ଘଟଣାସ୍ଥଳରେ ଭିଡ ଜମାଇଥିଲେ ହକିପ୍ରେମୀ ।

ଆଜି ମଧ୍ୟାହ୍ନ ୧ଟା ସମୟରେ ସୈନିକ ସ୍କୁଲ ପାଖ ଗୌସିଆ ମସଜିଦରେ ପହଞ୍ଚିଥିଲେ ପାକ୍ ହକି ଖେଳାଳି । ପୂରା ସୁରକ୍ଷାବଳୟ ମଧ୍ୟରେ ପାକ୍ ଖେଳାଳିଙ୍କୁ ମସଜିଦକୁ ଅଣାଯାଇଥିଲା । ଏଠାରେ ପାକ୍ ଖେଳାଳି ମାନେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସହ ମିଶି ନମାଜ ପାଠ କରିବା ସହ ପାଖାପାଖି ୩୦ ମିନିଟ୍ ରହିଥିଲେ । ଖେଳାଳି ମାନଙ୍କ ସହ ପାକ୍ କୋଚ ମଧ୍ୟ ଉକ୍ତ ମସଜିଦକୁ ଯାଇଥିଲେ ।

ନମାଜ ପଢିବା ପରେ ପାକ୍ କୋଚ କହିଛନ୍ତି, ଆସନ୍ତାକାଲି ମ୍ୟାଚ୍ ପାଇଁ ଆମେ ଆଶାବାଦୀ ଅଛୁ । ଏହାସହ ରାଜ୍ୟ ସରକାରଙ୍କ ଆୟୋଜନଙ୍କୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ପାକ୍ କୋଚ୍ । ଏପରିକି ସେ ଭାରତ ଓ ପାକିସ୍ତାନ ଫାଇନାଲରେ ପରସ୍ପରକୁ ଭେଟନ୍ତୁ ବୋଲି ସେ ଆଶାବାଦୀ ଅଛନ୍ତି । ଏହାଛଡା ଟିମ୍ ଇଣ୍ଡିଆ ଏବେ ଜବରଦସ୍ତ ପ୍ରଦର୍ଶନ କରୁଛି । ଖାସକରି ହୋମଗ୍ରାଉଣ୍ଡରେ ଭାରତ ଫେଭରିଟ ବୋଲି ସେ କହିଛନ୍ତି ।