ଭାରତ ପଛରେ ପୂରା ବିଶ୍ୱ! ପାକିସ୍ତାନ ପାଇଁ ବିକଳ୍ପ ଗୋଟିଏ, ଭାରତ ସହ ଆଲୋଚନା କରୁ ଓ ଆତଙ୍କବାଦୀଙ୍କୁ ମାରୁ

257

କନକ ବ୍ୟୁରୋ : ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିବାକୁ ନିଷ୍ପତି ନେବା ପରେ ଏବେ ପ୍ରଶ୍ନ ଉଠୁଛି ଭାରତ ପାଖରେ କଣ ରହିବ ବିକଳ୍ପ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦ ଦମନ ନେଇ ପାକିସ୍ତାନ ସହ ଆଲୋଚନା ପାଇଁ ଭାରତ ଚାହୁଁଛି । ତେବେ ଯାଇ ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତେଜନା ଥମିବ ।

ଭାରତ ସରକାରଙ୍କ ବିଶ୍ୱାସ, ଏବେ ପାକିସ୍ତାନ କୋର୍ଟରେ ରହିଛି ବଲ । ଉତେଜନା କମାଇବାକୁ ହେଲେ ପାକିସ୍ତାନକୁ ତୁରନ୍ତ ଭାରତ ସହିତ ସଙ୍ଗେ ସଙ୍ଗେ ଆଲୋଚନା କରିବାକୁ ପଡିବ । ପାକିସ୍ତାନ ମାଟିରୁ ଅପରେଟ କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ବିଶ୍ୱସନୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ଭାରତ ସରକାରଙ୍କ ବିଶ୍ୱାସ ଗୋଟିଏ କଥାରେ ରହିଛି । କୌଣସି ବି ପଦକ୍ଷେପ ଉତେଜନାକୁ କମାଇବାରେ ସକ୍ଷମ ହେବନି । ଏବେ ଫୋକସରେ ରହିବ ଗୋଟିଏ ପ୍ରସଙ୍ଗ । ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ କିପରି ମୁଳରୁ ନିପାତ କରିହେବ ସେ ଦିଗରେ ଇସଲାମାବାଦ ଆଗେଇ ଆସିବା ଦରକାର । ଯେଉଁଥିରେ ବିଶ୍ୱ ସମୁଦାୟର ସମର୍ଥନ ମଧ୍ୟ ରହିବ ।

ବିଶ୍ୱ ସମୁଦାୟକୁ ଭାରତ ବାର୍ତା ଦେଇଛି ଯେ, ଭାରତ ଯୁଦ୍ଧ ଚିନ୍ତାଧାରା ସୃଷ୍ଟି କରିବାକୁ ଚାହୁଁନାହିଁ । କୌଣସି ବିମାନ ଉଡାଣକୁ ବନ୍ଦ କରୁନାହିଁ କିମ୍ବା ସୀମାରେ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଉନାହିଁ । ବିଶ୍ୱ ସମୁଦାୟ ମଧ୍ୟ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ବାହାରିଛନ୍ତି । ଯଦିଓ ପାକିସ୍ତାନ ଏନେଇ କିଛି ସ୍ପଷ୍ଟ କରିନାହିଁ । ତେବେ ଭଲ ଖବର ଆସିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଉପରେ ଭାରତ କିଛି କହିନାହିଁ ।

ଦୁଇ ଦେଶ ମଧ୍ୟରେ ଉତେଜନା ସେତେବେଳେ ବଢିଥିଲା ଯେତେବେଳେ ଉଭୟ ଦେଶ ପରସ୍ପରକୁ ଯୁଦ୍ଧ ବିମାନକୁ ଖସାଇବାପାଇଁ ଟାର୍ଗେଟ କରିଥିଲେ । ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ କବଜାରେ ରଖିଥିବା କଥା ସ୍ପଷ୍ଟ କରିଥିଲା ଇସଲାମାବାଦ । ଭାରତ ପାକିସ୍ତାନ ସମ୍ପର୍କ ସେତେବେଳେ ଖଣ୍ଡାଧାରକୁ ଆସିଥିଲା ଯେତେବେଳେ ପୁଲବାମାରେ ଯବାନଙ୍କ ଉପରେ ଆତ୍ମଘାତୀ ହମଲା ହୋଇଥିଲା ଆଉ ତାପରେ ପାକିସ୍ତାନର ଜୈଶ-ଇ ମହମ୍ମଦ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା କରିଥିଲା ଏୟାର ଷ୍ଟ୍ରାଇକ ।