ଆନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପାକିସ୍ତାନର ଚେଷ୍ଟା : ବାହାବଲପୁରରେ ଜୈସ-ଏ-ମହମ୍ମଦର ମୁଖ୍ୟାଳୟକୁ ନିୟନ୍ତ୍ରଣକୁ ନେଲେ ସରକାର

133

କନକ ବ୍ୟୁରୋ : ଭାରତର ଆକ୍ରମଣ ଆଶଙ୍କାରେ ବିଚଳିତ ପାକିସ୍ତାନ । ଆନ୍ତର୍ଜାତୀୟ ସମୁଦାୟର ଚାପ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଜୈସ ଆଡାକୁ କବଜାକୁ ନେଲେ ପାକିସ୍ତାନ ସରକାର । ପଂଜାବ ପ୍ରଦେଶ ସରକାର ବାହାବଳପୁର ସ୍ଥିତ ଜୈସର ମୁଖ୍ୟାଳୟ, ମଦ୍ରାସା ଏବଂ ଜମ୍ମା ଏ ମସଜିଦ୍ ଶୁଭାନାଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏବଂ ଜାତିସଂଘ ଏହାର କଡା ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ପାଇଁ କହିବା ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଜୈସ ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି ।

ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ନିରାପତ୍ତା କମିଟିରେ ଜୈସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଥିଲା । ଶୁକ୍ରବାର ପଂଜାବ ପ୍ରଦେଶ ପୋଲିସ ଜୈସ୍ ମୁଖ୍ୟାଳୟରେ ଚଢାଉ କରି ବିଭିନ୍ନ ଦସ୍ତାବିଜ ଜବତ କରିଛନ୍ତି । ଏହି ପରିସରରେ ଚାଲିଥିବା ମଦ୍ରାସାର ୭୯ ଜଣ ଶିକ୍ଷକ ଏବଂ ୬ଶହ ଛାତ୍ରଙ୍କୁ ମଧ୍ୟ ବାହାରିଯିବାକୁ କୁହାଯାଇଥିବା ଜଣାପଡିଛି । ତେବେ ଜୈସ ମୁଖ୍ୟ ମାସୁଦ ଅଜହରର ସ୍ଥିତି ନେଇ ପାକ୍ ସରକାର ସଂପୂର୍ଣ୍ଣ ନୀରବ ରହିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ବାହାବଲପୁରର ଏହି ମଦ୍ରାସା ଓ ମସଜିଦରେ ଆତଙ୍କୀର ପାଠଶାଳା ଚଳାଇଥିଲା ମୌଲାନା ମସୁଦ ଅଜହର । ଜିହାଦ ନାଁରେ ଭାରତ ବିରୋଧରେ ବନ୍ଧୁକ ଧରିବାକୁ ଦେଉଥିଲା ପଶିକ୍ଷଣ । ଏପରିକି ପୁଲୱାମା ଆତଙ୍କୀ ହମଲାର ଷଡଯନ୍ତ୍ର ରଚିଥିଲା ଜୈସ ମୁଖ୍ୟ । ହେଲେ ଏହି ଆଡାକୁ ନିୟନ୍ତ୍ରଣକୁ ନେବା ପରେ ପାକ୍ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏହି ମଦ୍ରାସା ଓ ମସଜିଦରେ ଛୋଟ ଛୋଟ ପିଲାଙ୍କୁ ଧର୍ମ ଓ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରାଯାଉଥିଲା ।

ପ୍ରାୟ ୬ଶହ ଗରିବ ଓ ଅନାଥ ପିଲା ଏଠାରେ ରହୁଥିଲେ । ଯେଉଁମାନଙ୍କୁ ପଶିକ୍ଷଣ ଦେଉଥିଲେ ୭୯ଜଣ ଶିକ୍ଷକ । ଅର୍ଥାତ ଅନ୍ତଜାର୍ତୀୟ ସମୁଦାୟକୁ ଭୁଆଁ ବୁଲାଇବାକୁ ପାକିସ୍ତାନ ପ୍ରୟାସ କରିଛି । ଏହା ପୂର୍ବରୁ ହାଫିଜ୍ ସଇଦର ଦୁଇଟି ସଂଗଠନକୁ ବ୍ୟାନ କରିଥିଲେ ପାକିସ୍ତାନ ସରକାର ।ପୁଲୱାମା ଆତଙ୍କୀ ହମଲା ପଛରେ ଜୈସ-ଏ-ମହମ୍ମଦର ସମ୍ପୃକ୍ତି ଥିବାବେଳେ ହାଫିଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ।