ଆକ୍ସନ ମୋଡରେ ଭାରତ, ଛାନିଆ ହେଲାଣି ପାକିସ୍ତାନ ! ଜୈସ-ଏ-ମହମ୍ମଦ ମୁଖ୍ୟାଳୟକୁ ନିଜ କବଜାକୁ ନେଲା ପାକିସ୍ତାନ

425

ପୁଲୱାମା ଆକ୍ରମଣରେ ପରେ ପାକିସ୍ତାନକୁ ଘାରିଛି ଭାରତ ଭୟ । ପୁଲୱାମା ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିବା ପରେ ପାକିସ୍ତାନର ସତେ ଯେପରି ନିଦ ହଜିଯାଇଛି । କାରଣ ପାକିସ୍ତାନରୁ ବସି ଏହି ଆତଙ୍କବାଦୀ ସଙ୍ଗଠନ ଏଭଳି ଆକ୍ରମଣ କରିଥିବାରୁ ଏବେ ଭାରତ ଟାର୍ଗେଟରେ ଉଭୟ ପାକିସ୍ତାନ ଓ ଜୈସ-ଏ-ମହମ୍ମଦ । ଜୈସ-ଏ-ମହମ୍ମଦକୁ ସମୂଳେ ବିନାଶ କରିବାକୁ ଏବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ସେନା । ଏପରିକି ଏଥିପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ମୋଦି ସରକାର । ଆଉ ଭାରତର ଏଭଳି ରୂପ ଦେଖି ଏବେ ଛାନିଆ ହୋଇଯାଇଛି ପାକିସ୍ତାନ । ତେଣୁ ବହାବଲପୁରରେ ଥିବା ଜୈସ-ଏ-ମହମ୍ମଦର ମୁଖ୍ୟାଳୟକୁ ପାକିସ୍ତାନ ସରକାର ନିଜ କବଜାକୁ ନେଇଛନ୍ତି ।

ପାକିସ୍ତାନ ସରକାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବହାବଲପୁରରେ ଥିବା ମଦ୍ରାସାତୁଲ ସାବିର ଓ ଜାମା-ଏ-ମସଜିଦ ସୁଭନାଲ୍ଲାର ପରିସରକୁ ନିଜ ନିୟନ୍ତ୍ରଣରେ ନେଇଛି ପଞ୍ଜାବ ସରକାର । ଏହା ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଆଡ୍ଡା ସ୍ଥଳୀ ଥିବା ବେଳେ ଏଠାରେ ରହି ରିମୋଟ କଣ୍ଟ୍ରୋଲ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା ମାସୁଦ । ପାକିସ୍ତରନ ପକ୍ଷରୁ କୁହାଯାଇଛି ଯେ, ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା ଜାତୀୟ ସୁରକ୍ଷା ସମିତିର ବୈଠକ ପରେ ଗ୍ରହଣ କରାଯାଇଛି । ତେବେ ଏହା ଜୈସ-ଏ-ମହମ୍ମଦ ଉପରେ ପାକିସ୍ତାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନା ମାସୁଦ ଆଝାରଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନର ସୁଚିନ୍ତିତ ଯୋଜନା ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ପାକିସ୍ତାନକୁ ମେ’ ମାସ ସୁଦ୍ଧା ଆତଙ୍କୀ ସଙ୍ଗଠନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ଚେତାବନୀ ଦେଇଥିଲା । ଯେଉଁଥିରେ ଜୈସ-ଏ-ମହମ୍ମଦ, ଲସ୍କର-ଇ-ତୋଏବା, ଆଲକାଏଦା ଓ ତାଲିବାନ ଭଳି ସଙ୍ଗଠନ ଗୁଡିକ ସାମିଲ ଥିଲା । ପ୍ରଥମେ ଜାମାତ-ଉଦ-ଦାୱା ଓ ଏଫଆଇଏଫ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଶୁକ୍ରବାର ଜୈସ-ଏ-ମହମ୍ମଦର ମୁଖ୍ୟାଳୟକୁ କବଜାକୁ ନେଇଛି ପାକିସ୍ତାନ ।