ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଗିରଫ ହେଲା ମୁମ୍ବାଇ ୨୬-୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ।

22

କନକ ବ୍ୟୁରୋ : ଶେଷରେ ଭାରତ, ଆମେରିକା ସହ ଅନ୍ତରାଷ୍ଟ୍ରୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ । ପୁଣି ଥରେ ଆତଙ୍କବାଦୀ ହାଫିଜ ସଇଦକୁ ଗିରଫ କରିଛନ୍ତି ପାକିସ୍ତାନ ସରକାର । ମୁକୁଳିବାର ଏକ ସପ୍ତାହ ପରେ ପୁଣି ହାଫିଜ ସଇଦକୁ ଗିରଫ କରିଛି ପାକିସ୍ତାନ । ସପ୍ତାହେ ତଳେ ହାଫିଜକୁ ନଜରବନ୍ଦୀରୁ ମୁକ୍ତ କରିଥିଲେ ଲାହୋର ହାଇକୋର୍ଟ । ଫଳରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ ଦାୱା ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ ସୟିଦ ପୁଣି ଥରେ ଗିରଫ ହୋଇଛି । ତେବେ କେଉଁ ମାମଲାରେ ତାକୁ ଗିରଫ କରାଯାଇଛି ତାହା ସ୍ପଷ୍ଟ ହୋଇନି । ଏପଟେ ଏହା ଭାରତର ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ମୋର କିଛି ବିଗାଡି ପାରିବ ନାହିଁ, ଆଉ ଖୁବ ଶୀଘ୍ର କାଶ୍ମୀର ସ୍ୱାଧୀନ ହେବ ବୋଲି କହିଥିଲା ହାଫିଜ ସୟିଦ । କଶ୍ମୀରର ସ୍ୱାଧୀନତା ଲଢେଇ କରୁଥିବାରୁ ଭାରତ ପଛରେ ପଡିଛି । ଏହା ପାକିସ୍ତାନର ବିଜୟ ବୋଲି ହାଫିଜ କହିଥିଲା । ପାକିସ୍ତାନ ସରକାର କୋର୍ଟରେ ହାପିଜ ବିରୋଧରେ ବଳିଷ୍ଠ ପ୍ରମାଣ ନଦେବା ଓ ବେପରୁଆ ଭାବେ ଦଲିଲ ଉପସ୍ଥାପନା କରିଥିଲେ ।

ଜୁଡିସିଆଲ ରିଭ୍ୟୁ ବୋର୍ଡ ହାଫିଜ ବିରୋଧରେ ଦାଖଲ ପ୍ରମାଣ ଓ ଦଲିଲ ତାକୁ ଗୃହବନ୍ଦୀ କରି ରଖିବା ପାଇଁ ପର୍ୟ୍ୟାପ୍ତ ନୁହେଁ ବୋଲି କହିଥିଲେ । ଗୋଇନ୍ଦା ସୂଚନା ଆଧାରରେ ପାକିସ୍ତାନ ସରକାର ହାଫିଜକୁ ଗତ ଜାନୁୟାରୀରେ ବହୁ ଅପରାଧ ମାମଲାରେ ଗୃହବନ୍ଦୀ କରି ରଖିଥିଲେ । ତେଣୁ ପଂଜାବ ସରକାର ଅନ୍ୟ ମାମଲାରେ ହାଫିଜକୁ ଅଟାକାଇବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା ।