ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ଦେଖିଲା ପାକିସ୍ତାନ ! ସର୍ବସାଧାରଣଙ୍କ ପାଇଁ ଭାରତ ସରକାର ଜାରି କଲେ ଚର୍ଚ୍ଚିତ ଅପରେସନର ୪ଟି ଭିଡିଓ ।

41

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକର ପ୍ରାୟ ଦୁଇ ବର୍ଷ ପରେ ସର୍ବସାଧାରଣ ହୋଇଛି ଏହି ଅପରେସନର ଜୀବନ୍ତ ଚିତ୍ର । ୨୦୧୬ ସେପ୍ଟେମ୍ବର ମାସରେ ହୋଇଥିବା ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ୪ଟି ଭିଜୁଆଲ ଜାରି କରିଛନ୍ତି ଭାରତ ସରକାର । ଆକାଶମାର୍ଗରୁ ମାନବ ବିହୀନ ଯାନ ଏବଂ ଯବାନଙ୍କ ଦେହରୁ ଖଂଜା ଯାଇଥିବା କ୍ୟାମେରାରେ ଯେଉଁ ଚିତ୍ର କଏଦ ହୋଇଥିଲା, ତାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି । ଏହି ଭିଜୁଆଲ ସାମ୍ନାକୁ ଆସିବା ପରେ, ଯେଉଁମାନେ ଏହାକୁ ଫର୍ଜିକାଲ ଷ୍ଟ୍ରାଇକ୍ ବୋଲି କହୁଥିଲେ ତାଙ୍କ ମୁହଁ ବନ୍ଦ ହୋଇଯାଇଛି । ଆଉ ଏହି ଭିଜୁଆଲ ପୁଣି ଥରେ ମନେ ପକାଇ ଦେଇଛି ସେହି ଘଟଣାକୁ ।

୨୯ ସେପ୍ଟେମ୍ବର ୨୦୧୬ରେ ପାକ୍ ଅଧିକୃତ କାଶ୍ମୀର ଠାରେ ଭାରତୀୟ ଯବାନଙ୍କ ପରାକ୍ରମର ପରାକାଷ୍ଠା ଦେଖିଥିଲା ପୁରା ଦୁନିଆ, ଯେତେବେଳେ ରାତିର ଘନ ଅନ୍ଧାରକୁ ଚିରି ପାକିସ୍ତାନ ଅଧିକୃତ କାଶ୍ମୀରରେ ପାଦ ରଖିଥିଲେ । ଆତଙ୍କର ପସରା ମେଳି, ନିଘୋଡ ନିଦରେ ଶୋଇଥିବା ପାକିସ୍ତାନର ନାକ ତଳେ ହୋଇଥିଲା ସେହି ଅପରେସନ୍ ଯାହା, ଭାରତୀୟ ସେନାର ନିଷ୍ଠା ଓ ସଂକଳ୍ପର ପ୍ରମାଣ ହୋଇ ସାମ୍ନାକୁ ଆସିଲା । ୨୮ ସେପ୍ଟେମ୍ବର ମଧ୍ୟରାତ୍ରୀ, ଯେତେବେଳେ ପାକିସ୍ତାନ ଛାଡି ଯାଇଥିବା ଉରି ଆଘାତ ଘା’ ଶୁଖିବି ନଥାଏ । ଭାରତୀୟ ସେନାର ନର୍ଦନ୍ କମାଣ୍ଡ ଏବଂ ଦିଲ୍ଲୀ ହେଡକ୍ୱାର୍ଟରରୁ ପ୍ରସ୍ତୁତ ହୋଇଥିଲା ସେହି ନକ୍ସା, ଯାହା ନେଇଥିଲା ସର୍ଜିକାଲ ଷ୍ଟ୍ରାଇକ୍ ରୂପ ।

ସର୍ଜିକାଲ ଷ୍ଟ୍ରାଇକକୁ ଫର୍ଜିକାଲ ଷ୍ଟ୍ରାଇକ୍ କହୁଥିବା ପାକିସ୍ତାନ ମୁହଁରେ ଇଏ ହେଉଛି ସେହି ଶକ୍ତ ଚାପୁଡ଼ାର ପ୍ରମାଣ ଯାହା ଆଜି ସାମ୍ନାକୁ ଆସିଛି । ପାକ୍ ଅଧିକୃତ କାଶ୍ମୀର ଗୋଟିଏ କି ଦୁଇଟି ଆତଙ୍କି ଆଡ୍ଡା ନୁହେଁ ୬-୬ଟି ଠିକଣା ଉପରେ ହୋଇଥିଲା ଏଭଳି ଆକ୍ରମଣ, ଯାହାକୁ ପାକିସ୍ତାନ ନା’ କହି ପାରିଲା ନା’ ସହିପାରିଲା ।

ଟାର୍ଗେଟ୍ ନମ୍ବର-୧ :

ପାକିସ୍ତାନ ସେନାର ଆଖିରେ ଧୁଳି ଦେଇ ପ୍ରଥମ ଟାର୍ଗେଟରେ ପହଂଚିଥିଲା ଭାରତୀୟ ଯବାନ । ଜଙ୍ଗଲ-ପାହାଡ଼ ଘେରା ଭିତରେ ଥାଏ ଆତଙ୍କବାଦୀ ଠିକଣା । ଅତି ଚତୁରତାର ସହ ଲକ୍ଷ୍ୟସ୍ଥଳ ନିକଟରେ ପହଂଚିବା ପରେ ଆରମ୍ଭ ହେଲା ସେହି ଅପରେସନ୍, ଯାହାକୁ ହାସଲ କରିବା ପାଇଁ ପ୍ରାୟ ୩ରୁ ୪ କିଲୋମିଟର୍ ପାକ୍ ସୀମାରେ ପଶି ସାରିଥାଏ ଭାରତ । କ୍ୟାମ୍ପ ଉପରେ ହେଲା ରକେଟ୍ ଲଂଚର ମାଡ଼, ଧୂଳିସାତ୍ ହୋଇଗଲା ଠିକଣା ଏବଂ ମାଟିରେ ମିଶିଗଲେ ଆତଙ୍କବାଦୀ ।

ଟାର୍ଗେଟ୍ ନମ୍ବର-୨ :

ଠିକ୍ ଏକ ନମ୍ବର ଟାର୍ଗେଟ୍ ଭଳି ଦୁଇ ନମ୍ବର ଆତଙ୍କବାଦୀ କ୍ୟାମ୍ପ ଉପରେ ହୋଇଥିଲା ଆକ୍ରମଣ । ଇଏ ହେଉଛି ସେହି ଘଡିସନ୍ଧି ମୁହୁର୍ତ୍ତର ଭିଜୁଆଲ । ଯାହା ଯବାନଙ୍କ ହେଲମେଟ୍ ଏବଂ ଏକ ଅନମେନ୍ ଭେଇକିଲ ଦ୍ୱାରା ଉତୋଳନ ହୋଇଥିବା ଚିତ୍ର । ଦ୍ୱିତୀୟ ଟାର୍ଗେଟଟି ଏତେ ଭୟଙ୍କର ଥିଲା ଯେ, ସଂପୂର୍ଣ୍ଣ ଅଂଚଳ ଧୂଆଁଳିଆ ହୋଇଯାଇଥିଲା । ଏତିକିରେ ଅପରେସନ୍ ସରିନଥିଲା । ଆଗକୁ ମାଡ଼ି ଚାଲିଥିଲେ ଭାରତୀୟ ଯବାନ । ନର୍ଦନ୍ କମାଣ୍ଡ ଏବଂ ଦିଲ୍ଲୀ ହେଡକ୍ୱାର୍ଟରରୁ ଏହି ପୁରା ଅପରେସନର ଅନୁଧ୍ୟାନ ହେଉଥାଏ । ଏହା ପରେ ପାଳି ଆସିଥିଲା ତୃତୀୟ ଟାର୍ଗେଟର ।

ଟାର୍ଗେଟ୍ ନମ୍ବର-୩ :

ତୃତୀୟ ଟାର୍ଗେଟ୍ ଏତେ ସହଜ ନଥିଲା । କାରଣ ଆତଙ୍କବାଦୀ କ୍ୟାମ୍ପ ନିକଟରେ ପହରା ଦେଉଥିଲେ ୨ ଜଣ ଆତଙ୍କବାଦୀ ଏବଂ ୨ ଜଣ ପାକ୍ ସୈନିକ୍ । ହେଲେ ଏକ ମଜବୁତ ଲକ୍ଷ୍ୟ ନେଇ ଆଗକୁ ବଢ଼ି ଚାଲିଥିବା ଭାରତୀୟ ଯବାନ ଯେତିକି, ସବୁ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ ପଣ କରି ହିଁ ଯାଇଥିଲେ । ରକେଟ୍ ଲଂଚର ମାଡ଼ ସହ ହେଲା ଅନ୍ଧାଧୁନ୍ ଫାଇରିଂ ।

ଟାର୍ଗେଟ୍ ନମ୍ବର-୪ :

ଅନ୍ଧାର ଭିତରେ ହୋଇଥିବା ଏହି ଅପରେସନ୍ ଆଖିକୁ ସ୍ପଷ୍ଟ ଦେଖାଯାଉନଥିଲେ ବି, ସାରା ବିଶ୍ୱକୁ ଦେଉଥିଲା ସ୍ପଷ୍ଟ ବାର୍ତା । ଚତୁର୍ଥ ଟାର୍ଗେଟରେ ଏକ ବଡଧରଣର ମୁହାଁମୁହିଁ ସ୍ଥିତି ହୋଇଥିଲା । ହେଲେ ଶେଷରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ୱଂସ ହେବା ସହ ଆତଙ୍କୀଙ୍କୁ ସୁରକ୍ଷା ଦେଉଥିବା ପାକ୍ ସେନାର ଯବାନଙ୍କୁ ବି ଆଖି ବୁଜିବାକୁ ପଡ଼ିଲା । ଏହି ଭଳି ୬ଟି ଠିକଣା ଉପରେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍ । ଚର୍ଚ୍ଚା ହୁଏ ଏହି ଅପରେସନକୁ ନର୍ଦନ୍ କମାଣ୍ଡ ଏବଂ ଦିଲ୍ଲୀ ହେଡକ୍ୱାର୍ଟରରେ ବସି ଦେଖୁଥିଲେ, ସେନାମୁଖ୍ୟ, ସୁରକ୍ଷା ପରାମର୍ଶଦାତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଉ ଅପରେସନ୍ ସାରି ଯେମିତି ଭାରତୀୟ ସେନା ସୀମା ଅତିକ୍ରମ କରି ଯାଇଥିଲେ, ଠିକ୍ ସେମିତି ସୀମା ଡେଇଁ ଭାରତୀୟ ସୀମାକୁ ଚାଲିଆସିଥିଲେ । ଆଉ ଆଜି ଏହି ଭିଡିଓ ରିଲିଜ୍ ହେବା ପରେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯାଉଛି, ଯେଉଁମାନେ ଏହି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସନ୍ଦେହ କରୁଥିଲେ ।