ପାକିସ୍ତାନର ବିବାଦୀୟ ମନ୍ତବ୍ୟ, କହିଲା ଭାରତ ଗୋଟିଏ ସର୍ଜିକାଲ୍ ଷ୍ଟ୍ରାଇକ୍ କଲେ ପାକିସ୍ତାନ ୧୦ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବ

32

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ବିବାଦ ବଢିବାର ଲାଗିଛି । ଅନେକ ସମୟରେ ପାକିସ୍ତାନ ଭାରତ ସୀମାନେ ଅନୁପ୍ରବେଶ ଉଦ୍ୟମ କରିବା ସହ ଭାରତୀୟ ସୀମା ଉପରକୁ ବୋମା ମାଡ ସହ ଗୁଳି ବର୍ଷା କରୁଛି । ଅଚାନକ ଆକ୍ରମଣରେ ଯବାନମାନେ ମଧ୍ୟ ଅକାରଣେ ପ୍ରାଣ ହରାଉଛନ୍ତି । ତେଣୁ ଭାରତ ପାକିସ୍ତାନ ସହ ଆଲୋଚନ ମଧ୍ୟ ସ୍ଥଗିତ ରଖିଛି । ତେବେ ଏହି ସମୟରେ ପୁଣି ଭାରତ ବିରୋଧରେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେବା ସହ କହିଛି ଯେ, ଭାରତ ଗୋଟିଏ ସର୍ଜିକାଲ୍ ଷ୍ଟ୍ରାଇକ୍ କଲେ ପାକିସ୍ତାନ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବ ବୋଲି ଶନିବାର ଦିନ ପାକିସ୍ତାନ ଚେତାବନୀ ଦେଇଛି।

 

ଆଣବିକ ଅସ୍ତ୍ରଧାରୀ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏହା ହେଉଛି ସଦ୍ୟତମ ବାକ୍-ଯୁଦ୍ଧ। ପାକିସ୍ତାନ ମିଲିଟାରିର ଇଣ୍ଟର୍ ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସର ମୁଖପାତ୍ର ମେଜର୍ ଜେନେରାଲ୍ ଅସିଫ୍ ଗଫୁର୍ ଲଣ୍ଡନରେ ଏକ ଗଣମାଧ୍ୟମକୁ ଏ କଥା କହିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ କମାର୍ ଜାବେଦ୍ ବାଜ୍ଓ୍ଵାଙ୍କ ସହ ସେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଯଦି ଭାରତ ପାକିସ୍ତାନ ମଧ୍ୟରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ସାହସ କରେ, ଜବାବରେ ସେ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକର ସମ୍ମୁଖୀନ ହେବ ବୋଲି ଗଫୁର୍ କହିଥିବା ରେଡିଓ ପାକିସ୍ତାନ କହିଛି।

 

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଆମ ବିରୋଧରେ ଦୁଃସାହସ କରିବାକୁ ଚିନ୍ତା କରୁଛନ୍ତି ପାକିସ୍ତାନର ସାମର୍ଥ୍ୟ ଉପରେ ସେମାନଙ୍କ ମନରେ ସନ୍ଦେହ ନ ରହିବା ଉଚିତ।
ସେ କହିଛନ୍ତି ଯେ ପାକିସ୍ତାନ ସେନା ହେଉଛି ୫୦ ବିଲିୟନ୍ ଆମେରିକାନ୍ ଡଲାର୍ ମୂଲ୍ୟର ଚୀନ୍ ପାକିସ୍ତାନ ଇକୋନମିକ୍ କରିଡର୍ ଜଗୁଆଳି ଏବଂ ସେ ବିଶାଳ ପ୍ରକଳ୍ପ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ। ଗଫୁର କହିଲେ ଯେ ସେନା ପାକିସ୍ତାନରେ ଗଣତନ୍ତ୍ରକୁ ମଜଭୁତ କରିବାକୁ ଚାହୁଁଛି। ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ହେଉଛି ଦେଶର ଇତିହାସରେ ସବୁଠୁ ସ୍ୱଚ୍ଛ ନିର୍ବାଚନ। ଗଣମାଧ୍ୟମ ପ୍ରତି କଟକଣା ଲାଗୁ କରାଯାଇଥିବା କଥାକୁ ସେ ଅସ୍ୱୀକାର କରିବା ପୂର୍ବକ କହିଲେ ଯେ ଦେଶରେ ଭାବ ପ୍ରକାଶ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।