ଶ୍ରୀନଗର ସେଣ୍ଟ୍ରାଲ ଜେଲରେ ଏନଏସଜି କମାଣ୍ଡୋଙ୍କ ଚଢାଉ! ଆତଙ୍କବାଦୀଙ୍କ ପାଖରୁ ମାଳମାଳ ମୋବାଇଲ ସହ ମିଳିଲା ପାକିସ୍ତାନ ପତାକା

30

ଭାରତୀୟ ଜେଲରୁ ମିଳିଲା ପାକିସ୍ତାନ ପତାକା । ଶ୍ରୀନଗର ସେଣ୍ଟ୍ରାଲ୍ ଜେଲରେ ଆଜି ଏନଆଇଏ ଚଢ଼ଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପାଖାପାଖି ୨୦ଟି ଦଳ ସହ ଏନଏସଜି କମାଣ୍ଡୋମାନେ ଏହି ଚଢ଼ଉରେ ସାମିଲ ଥିଲେ। ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ବିଭିନ୍ନ ମୋଷ୍ଟ୍ ଓ୍ଵାଣ୍ଟେଡ୍ ଆତଙ୍କବାଦୀ ରହୁଥିବା ଉକ୍ତ ଉଚ୍ଚ ସୁରକ୍ଷିତ ସେଣ୍ଟ୍ରାଲ୍ ଜେଲରେ ଚଢ଼ଉ ବେଳେ ୨୫ଟି ମୋବାଇଲ ଫୋନ୍, ଅନେକ ଜିହାଦୀ ପୁସ୍ତିକା, ୫ଟି ଡିଜିଟାଲ କାର୍ଡ, ୫ଟି ପେନ୍ ଡ୍ରାଇଭ, ଗୋଟିଏ ଆଇପଡ୍ ଏବଂ ହିଜବୁଲ ମୁଜାହିଦ୍ଦିନ୍ ଗୋଷ୍ଠୀର ପୋଷ୍ଟର ସମେତ ପାକିସ୍ତାନୀ ପତାକାମାନ ମିଳିଛି।

ସୂଚନା ଥାଉ କି, କୁପଓ୍ଵାରାରୁ ଗିରଫ ହୋଇଥିବା ଦୁଇ ଯୁବକ ଡାନିଶ ଗୁଲମ ଲୋନ୍ ଏବଂ ସୋହେଲ ଅହମଦ ଭଟ୍ଟ ଦାବି କରିଥିଲେ ଯେ ଆତଙ୍କବାଦୀ ସଂଗଠନ ଅଲ-ବଦର ପାଇଁ ନିଯୁକ୍ତି ପ୍ରକ୍ରିୟା ସମେତ ଗୁଳିଗୋଳା ତାଲିମ ଆଦି ଯାବତୀୟ ଷଡ଼ଯନ୍ତ୍ର ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ରୁ ହିଁ ପ୍ରସ୍ତୁତ ହେଉଛି। ତେଣୁ ଏନଆଇଏ ଏପରି ଚଢ଼ଉ କରିଥିଲା। ସେହିପରି ଶ୍ରୀନଗର ହସ୍ପିଟାଲରୁ ଗତ ଫେବ୍ରୁଆରି ୬ ତାରିଖରେ ଖସି ପଳାଇଥିବା ଏଲଇଟି ଆତଙ୍କବାଦୀ ମହମ୍ମଦ ନବିଦ ଭଟ୍ଟକୁ ଖସାଇବାରେ ମଧ୍ୟ ଉକ୍ତ ସେଣ୍ଟ୍ରାଲ୍ ଜେଲରେ ଷଡ଼ଯନ୍ତ୍ର ହୋଇଥିବା ନେଇ ଏନଆଇଏ ତଦନ୍ତ ଜାରି ରଖିଛି।