କନକ ବ୍ୟୁରୋ: ପାକିସ୍ତାନରେ ନୂଆ ସରକାର ଗଠନ ପାଇଁ ଆଜି ସାଧାରଣ ନିର୍ବାଚନ ହେଉଛି । ମତଦାନ କରୁଛନ୍ତି ପାକିସ୍ତାନ ଜନସାଧାରଣ । ଭାରତ ସମେତ ବିଶ୍ୱର ଅନେକ ଦେଶର ନଜର ଏହି ନିର୍ବାଚନ ଉପରେ ରହିଛି । ଏହି ନିର୍ବାଚନରେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ-ତେହେରିକ୍-ଏ-ଇନସାଫ, ନୱାଜ ସରିଫଙ୍କ ପାର୍ଟି ପିଏମଏଲ୍-ଏନ ମଧ୍ୟରେ କଡା ଟକ୍କର ହେଉଛି । ଇମ୍ରାନ ଖାନ୍ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି । ବିଭିନ୍ନ ସର୍ଭେ ରିପୋର୍ଟରେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଦୌଡରେ ଆଗୁଆ ଅଛନ୍ତି ବୋଲି ଦର୍ଶାଯାଇଛି ।

ତେବେ ପାକିସ୍ତାନରେ ଇଲେକ୍ସନ ନୁହେଁ କେବଳ ସିଲେକ୍ସନ ହେଉଛି ବୋଲି କୁହାଯାଉଛି । ଆଗାମି ପ୍ରଧାନମନ୍ତ୍ରୀ ଦେଶର ଜନତା ନୁହେଁ ବରଂ ପାକିସ୍ତାନର ସେନା ଚୟନ କରୁଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ନୂଆ ନେତୃତ୍ୱ ଆସିଲେ ପାକିସ୍ତାନର ଭାରତ ସହ କିପରି ସମ୍ପର୍କ ରହିବ ତାହା ବେଶ୍ ଗୁରୁତ୍ୱ ବହନ କରୁଛି । ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ସହ ୪ଟି ପ୍ରଦେଶର ବିଧାନସଭା ପାଇଁ ବି ନିର୍ବାଚନ ହେଉଛି ।

ପାକିସ୍ତାନରେ ଆଜି ୨୭୨ ଆସନରେ ନିର୍ବାଚନ ହେଉଛି । ମୈଦାନରେ ଅଛନ୍ତି ୩ ହଜାର ୪୫୯ ଜଣ ପ୍ରାର୍ଥୀ । ସେହିଭଳି ୪ଟି ପ୍ରଦେଶର ବିଧାନସଭାର ୫୭୭ଟି ଆସନ ଲାଗି ୮ ହଜାର ୩ଶହ୯୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆଜି ଦେଶର ୧୦୫ ଦଶମିକ ୯୬ ନିୟୁତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ପାକିସ୍ତାନ ନିର୍ବାଚନରେ ସବୁବେଳେ ସେନାର ସିଧାସଳଖ ହସ୍ତକ୍ଷେପ ରହୁଛି ଓ ଏଥର ସେନା ଇମ୍ରାନ ଖାନଙ୍କ ସପକ୍ଷରେ ଅଛି ବୋଲି ଚର୍ଚ୍ଚା ହେଉଛି । କ୍ରିକେଟରରୁ ରାଜନୀତିକୁ ଆସିଥିବା ଇମ୍ରାନ ଖାନ ବିଭିନ୍ନ ଗଣମାଧ୍ୟମ ସର୍ଭେରେ ଆଗରେ ରହିଛନ୍ତି । ଜେଲରେ ବନ୍ଦୀ ଥିବା ପୂର୍ବଚନ ପ୍ରଧାନମନ୍ତ୍ରୀ ନୱାଡ ସରିଫଙ୍କ ପିଏମଏଲ-ଏନକୁ ସେନା ଧମକାଉଥିବା ବି ଅଭିଯୋଗ ହୋଇଛି ।