ପାକିସ୍ତାନ ଭୋଟ୍ ଗଣତିରେ ଇମ୍ରାନ ଖାନଙ୍କ ପାର୍ଟି ଆଗରେ : ମ୍ୟାଜିକ୍ ନମ୍ବର ପଛରେ ୩ ପ୍ରମୁଖ ଦଳ

41

କନକ ବ୍ୟୁରୋ : ପାକିସ୍ତାନରେ କିଏ ହେବ ପ୍ରଧାନମନ୍ତ୍ରୀ ଏ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଗତକାଲି ହୋଇଥିବା ନିର୍ବାଚନରେ ଭୋଟଗଣତି ଜାରି ରହିଛି । ମଧ୍ୟରାତ୍ରି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ-ଏ-ଇନସାଫ ସବୁଠୁ ବଡ ପାର୍ଟି ଭାବେ ଉଭା ହୋଇଛି । ତେବେ କୌଣସି ଦଳକୁ ଏ ଯାଏଁ ସ୍ପଷ୍ଟ ବହୁମତ ମିଳିନାହିଁ । ବର୍ତ୍ତମାନ ସୁଦ୍ଧା ମୋଟ ୨୭୨ଟି ଆସନ ମଧ୍ୟରୁ ୨୬୭ଟି ଆସନର ଟ୍ରେଣ୍ଡ ଆସୁଛି । ଏଥିମଧ୍ୟରୁ ଇମ୍ରାନ ଖାନଙ୍କ ପିଟିଆଇ ୧୧୯ଟି ଆସନ, ନୱାଜ ସରିଫଙ୍କ ପାଟି ପାକିସ୍ତାନ ମୁସଲିମ ଲିଗ ନୱାଜଙ୍କୁ ୫୬ଟି ଆସନ ଓ ପାକିସ୍ତାନ ପିପୁଲସ ପାର୍ଟି ୩୪ଟି ଆସନରେ ଆଗୁଆ ଅଛି । ଅନ୍ୟ ଓ ସ୍ୱାଧୀନ ୫୮ଟି ଆସନରେ ଆଗୁଆ ଅଛନ୍ତି ।

ସେପଟେ ଟ୍ରେଣ୍ଡ ଅନୁସାରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପକ୍କା ହୋଇଯାଇଛି । କାରଣ ପାକିସ୍ତାନରେ ନିର୍ବାଚନ ଅବାଧ ଓ ନିରପେକ୍ଷ କେବେ ବି ହୋଇନାହିଁ । ପାକିସ୍ତାନର ସେନା ଓ ଆଇଏସଆଇ ଯାହାକୁ ସମର୍ଥନ କରନ୍ତି , ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥାଏ । ଏଥର କୁହାଯାଉଛି ଯେ, ଆଇଏସଆଇ ଓ ସେନାର ସମର୍ଥନ ଯୋଗୁଁ ଏଥର ଇମ୍ରାନ ଖାନଙ୍କୁ ଏଥର ସଫଳତା ମିଳିଛି । ବହୁମତ ପାଇଁ ମ୍ୟାଜିକ ନମ୍ବର ୧୩୭ ଆସନର ନିକଟତର ହୋଇପାରିଛନ୍ତି ଇମ୍ରାନ । ଗତକାଲି ଭୋଟଦାନ ପରେ ଇମ୍ରାନ ଖାନ ଭାରତ ବିରୋଧରେ ଜହର ଓଗାଳିଥିଲେ । ଏପରିକି ସେ ନୱାଜ ସରିଫଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସେ କହିଥିଲେ , ସେ ପାରମ୍ପରିକ ରାଜନୀତିରେ ହଟି ନୂଆ ପାକିସ୍ତାନ ଗଢିବେ ।

ସେପଟେ ମତଗଣନାରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଉଭୟ ପିଏମଏଲ ଓ ପିପିପି ଦଳ । ଏହାସହ ଏହାସହ ପିଏମଏଲ ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରିଛିି । ପିଏମଏଲ ସଭାପତି ତଥା ନୱାଜ ସରିଫଙ୍କ ଭାଇ ସେହବାଜ୍ ସରିଫ୍ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳର ଏଜେଂଟ ମାନଙ୍କୁ ମତଗଣନା କେନ୍ଦ୍ରରୁ ବାହାର କରାଯିବା ସହ ବେଆଇନ୍ ଭାବେ ଦଳର କର୍ମୀଙ୍କୁ ଗିରଫ କରାଯାଇଛି । ପିପିପି ଦଳ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ବିଲାଭର ଭୁଟ୍ଟୋ ନିଜର ଏକ ଟୁଇଟ୍ ଜରିଆରେ ନିର୍ବାଚନ କମିଶନକୁ ଟାର୍ଗେଟ୍ କରିଛନ୍ତି । ତେବେ ପାକିସ୍ତାନ ନିର୍ବାଚନ କମିଶନ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେପଟେ ନିରାଶ ହୋଇଛି ଆତଙ୍କବାଦୀ ହାଫିଜ୍ ସୟିଦ୍ । ନିଜର ରାଜନୈତିକ ଦଳ ଗଢ଼ି ନିର୍ବାଚନକୁ ଓହ୍ଲାଇଥିବା ହାଫିଜକୁ ସଫଳତା ମିଳି ନାହିଁ । ହାଫିଜ୍ ଦଳ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ପାକିସ୍ତାନରେ ବେଶ୍ ବିବାଦ ଦେଖାଦେଇଥିଲା ।