ପାକିସ୍ତାନ ନିର୍ବାଚନରେ ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କୁ ଜନମତ । ଭାବି ପ୍ରଧାନମନ୍ତ୍ରୀ କହିଲେ ବଲିଉଡ ଭିଲେନ ସଜାଇ ଦେଇଛି ଭାରତୀୟ ଗଣମାଧ୍ୟମ

34

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନ ବାସୀ । ମୋଟ ୨୭୨ ଆସନରୁ ସର୍ବାଧିକ ୧୨୨ଟିରେ ଜିତି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଇମ୍ରାନ ଖାନ । ଆଉ ଦେଶର ଭାବି ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ତାଙ୍କୁ ବଲିଉଡ ଫିଲ୍ମର ଭିଲେନ ସଜାଇ ଦେଇଛନ୍ତି ଭାରତୀୟ ଗଣମାଧ୍ୟମ । ହେଲେ ଭାରତ ସହ ସୁସମ୍ପର୍କ ଉପରେ ଜୋର ଦେଇଛନ୍ତି ଇମ୍ୁାନ । ଦୁଇପାକ୍ଷିକ ବାଣିଜ୍ୟିକ କାରବାର ଉପରେ ଜୋର ଦେବାସହ କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟ ମତ ରଖିଛନ୍ତି । କହିଛନ୍ତି ଭାରତୀୟ ନେତୃତ୍ୱ ଚାହିଁଲେ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ ହୋଇପାରିବ । ସେନା ଓ ଆଇଏସଆଇର ସମର୍ଥନରେ ନିର୍ବାଚନ ଜିତିଥିବା ନେଇ ଅଭିଯୋଗ ଭିତରେ ଇମ୍ରାନଙ୍କ ଭାରତ ପ୍ରତି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି ।

ଇତିହାସରେ ପ୍ରଥମଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖ୍ୟାନ କରି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ତେହରିକ-ଏ-ଇନସାଫକୁ ପସନ୍ଦ କରିଛନ୍ତି ପାକିସ୍ତାନବାସୀ । ସେହିପରି ଦେଶର ଇତିହାସରେ ଦ୍ୱିତୀୟଥର ଲାଗି ଯେତେବେଳେ ଗୋଟିଏ ନିର୍ବାଚିତ ସରକାର ହାତରୁ ଆଉଗୋଟିଏ ଗଣତାନ୍ତ୍ରିକ ସରକାର କ୍ଷମତା ଦଖଲ କରିବାକୁ ଯାଉଛି ଠିକ ସେତିକିବେଳେ ସର୍ବୋଚ୍ଚ ଆସନରେ ବସିବେ ଇମ୍ରାନ ଖାନ । ଯିଏ ୧୯୯୭ରେ ୭ଟି ଆସନରେ ଲଢି ସବୁତକ ସ୍ଥାନରେ ଜମାନତ ହରାଇଥିଲେ । ୨୧ ବର୍ଷ ଭିତରେ ଇମ୍ରାନଙ୍କ ଏହି ରାଜନୈତିକ ଅଭ୍ୟୁଦୟ ପଛରେ ଉଭୟ ପାକ୍ ସେନା ଓ ଆଇଏସଆଇର ସମର୍ଥନ ରହିଥିବା କୁହାଯାଉଛି । ସବୁ କଳ କୌଶଳ ଲଗାଇ ଅନୈତିକ ଉପାୟରେ ଇମ୍ରାନଙ୍କ ପାର୍ଟି ନିର୍ବାଚନ ଜିତିଥିବା ଅଭିଯୋଗ ଆଣିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ପିଏମଏଲ-ଏନ ଓ ପିପିପି ।

ପାକିସ୍ତାନରେ ନିର୍ବାଚନ, ସେଠାକାର ଲୋକ ଓ ସାମ୍ବିଧାନିକ ସଂସ୍ଥାଗୁଡିକ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତ ପାଇଁ ତାଠାରୁ ଅଧିକ ଗୁରୁତ୍ୱ ରଖୁଛି । କାରଣ ପାକିସ୍ତାନ ସହ ଭାରତର ଅତି ତିକ୍ତ ସଂପର୍କ ରହିଆସିଛି । ପଡୋଷୀ ଦେଶରେ ଅସ୍ଥିରତା ଭାରତ ପାଇଁ ଶୁଭଙ୍କର ନୁହେଁ । ତେଣୁ ଆକଳନ କରାଯାଉଛି ଭାରତ ବିରୋଧୀ ମନୋଭାବ ରଖୁଥିବା ଇମ୍ରାନ ଖାନଙ୍କ ଶାସନରେ ନୂଆଦିଲ୍ଲୀ ସହ ଇସଲାମାଦର ସଂପର୍କରେ ଅବନତି ଆସିବ ।

– ପିଓକେରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ସମାଲୋଚନା କରିଥିଲେ ଇମ୍ରାନ ଖାନ୍
– ମୋଦିଙ୍କୁ ଜବାବ ଦେବାରେ ନୱାଜ ସରିଫ ବିଫଳ ହୋଇଥିବା ମନ୍ତବ୍ୟ ଦେଇଥିଲେ
– ଜାମ୍ମୁ-କାଶ୍ମୀରରେ ସେନା ମୁତୟନ ମାନବିକ ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ
– ଆତଙ୍କୀ ସଂଗଠନଗୁଡିକ ସହିତ ଇମ୍ରାନ ଖାନଙ୍କ ଭଲ ସଂପର୍କ ରହିଥିବା ଅଭିଯୋଗ ଅଛି

କେବଳ ଭାରତ ନୁହେଁ, ଆମେରିକା, ଚୀନ ଓ ରୁଷ ମଧ୍ୟ ପାକିସ୍ତାନ ନିର୍ବାଚନକୁ ଖୁବ ନିକଟରୁ ଅନୁଧ୍ୟାନ କରିଛନ୍ତି । କାରଣ ଆତଙ୍କୀଙ୍କ ଉପତ୍ୟକା ପାକିସ୍ତାନରେ ଏକ ସ୍ଥିର ଓ ଗଣନାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ବିଶ୍ୱ ଶାନ୍ତି ପାଇଁ ଶୁଭଙ୍କର । କିନ୍ତୁ ସେନା ଓ ଆଇଏସଆଇର ଛାୟାରେ ନିର୍ବାଚନ ଜିତିଥିବା ଇମ୍ରାନ ଖାନଙ୍କ ବିଦେଶ ନୀତି ଓ ଆତଙ୍କବାଦ ନିରୋଧୀ ରଣନୀତି ଉପରେ ନିର୍ଭର କରିବ ଅନ୍ତର୍ଜାତୀୟ ସମୁଦାୟ ସହିତ ପାକିସ୍ତାନର ସଂପର୍କ । ହେଲେ ନିର୍ବାଚନୀ ଇସ୍ତାହାରରେ ଇମ୍ରାନଙ୍କ ତେହରିକ-ଏ-ଇନସାଫ ପାର୍ଟି ଏସବୁ ଦିଗକୁ ଗୁରୁତ୍ୱ ଦେବ ବୋଲି ଘୋଷଣା କରିସାରିଛି ।