ଶାସନର ପ୍ରଥମ ଦିନରୁ ଇମ୍ରାନଙ୍କ ଭାରତ-ବିରୋଧୀ ଆଭିମୁଖ୍ୟ : ସେପଟେ ଚୀନକୁ ଅହେତୁକ ପ୍ରଶଂସାରେ ପକାଇଲେ

32

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନବାସୀ । ମୋଟ ୨୭୨ ଆସନରୁ ସର୍ବାଧିକ ୧୨୨ଟିରେ ଜିତି ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଇମ୍ରାନ ଖାନ । ଆଉ ଦେଶର ଭାବି ପ୍ରଧାନମନ୍ତ୍ରୀ ଭାବେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଆଭିମୁଖ୍ୟ ରଖିଛନ୍ତି । କହିଛନ୍ତି ଭାରତ ସହ ଶାନ୍ତି ଆଲୋଚନା ପାଇଁ ସେ ଆଗ୍ରହୀ । ତେବେ ଏଥିପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ପଡିବ ବୋଲି ସେ ମତ ରଖିଛନ୍ତି । ତେବେ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି ଇମ୍ରାନ୍ । କହିଛନ୍ତି ତାଙ୍କୁ ବଲିଉଡ ଫିଲ୍ମର ଭିଲେନ ସଜାଇ ଦେଇଛନ୍ତି ଭାରତୀୟ ଗଣମାଧ୍ୟମ । ସେନା ଓ ଆଇଏସଆଇର ସମର୍ଥନରେ ନିର୍ବାଚନ ଜିତିଥିବା ନେଇ ଅଭିଯୋଗ ଭିତରେ ଇମ୍ରାନଙ୍କ ଭାରତ ପ୍ରତି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି ।

ଇମ୍ରାନ ଖାଁ ନିଆଜୀ । ସତୁରୀରୁ ନବେ ଦଶକ ଯାଏ କେବଳ ପାକିସ୍ତାନ କାହିଁକି, ସମଗ୍ର ଭାରତୀୟ ଉପମହାଦେଶରେ ଏହି କ୍ରିକେଟ ତାରକା ସେତେବେଳେ ଥିଲେ ଯୁବ ସମାଜ ହୃଦୟର ସ୍ପନ୍ଦନ । ସମକାଳୀନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର କପିଳଦେବଙ୍କ ସମେତ ବିଶ୍ୱର ଚାରି ଶ୍ରେଷ୍ଠ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ଗଣା ହେଉଥିଲେ ସେ । ଅଧିନାୟକ ଭାବେ ୧୯୯୨ ମସିହାରେ ଅଷ୍ଟ୍ରେଲିଆରେ ଆୟୋଜିତ ବିଶ୍ୱକପ୍‌ରେ ନିଜ ଦେଶ ପାକିସ୍ତାନକୁ ଜିତାଇବା ପରଠାରୁ ନିଜକୁ ଏକ ଭିନ୍ନ ସ୍ତରକୁ ନେଇଯାଇଥିଲେ ।

ଇଂଲଣ୍ଡରେ ପାଠ ପଢ଼ିଥିଲେ ଇମ୍ରାନ । ସେଠାରେ ସେ ଜୀବନର ପ୍ରଥମ ସାଢ଼େ ଚାରି ଦଶନ୍ଧି ବିତାଇଥିଲେ । ଏହି ରୁଚିସମ୍ପନ୍ନ ବ୍ୟକ୍ତି ୧୯୯୬ ମସିହାରେ ପାକିସ୍ତାନ ଫେରିଆସିବା ଦିନଠୁ ରାଜନୀତିରେ ମନୋନିବେଶ କରିବା ସହିତ ୨୨ ବର୍ଷ ପରେ ନିଜକୁ ପ୍ରଧାନମନ୍ତ୍ରୀ ପଦ ଯାଏ ଉନ୍ନୀତ କରିଛନ୍ତି । ଏମିତିରେ ଦେଖିବାକୁ ଗଲେ, ନିଜର ସୁଦୀର୍ଘ କ୍ରିକେଟ କ୍ୟାରିଅରରେ ଭାରତରେ ବହୁ ସମୟ କଟାଇବାର ସୁଯୋଗ ପାଇଥିବାରୁ ଇମ୍ରାନ୍‌ ହିଁ ସମ୍ଭବତଃ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପରେ ଭାରତକୁ ସବୁଠୁ ବେଶି ଭଲଭାବେ ଜାଣିଥିବା, ବୁଝିଥିବା ପାକିସ୍ତାନୀ ରାଜନେତା ଅଟନ୍ତି । ଅର୍ଜୁନ ରଣାତୁଙ୍ଗେ, ନଭଜୋତ ସିଂହ ସିଦ୍ଧୁଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ ତାରକାମାନେ ପୂର୍ବରୁ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ହେଲେ ଏହି କ୍ରିକେଟ-ପାଗଳ ଉପମହାଦେଶରେ ଇମ୍ରାନଙ୍କ ପୂର୍ବରୁ କେହି କୌଣସି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ । ତେଣୁ ଭାରତରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ହେଉଥିବାରୁ ନିରୀହ ସାଧାରଣ ଲୋକେ ଦୁଇଦେଶର ସମ୍ପର୍କକୁ ନେଇ ବହୁ ସ୍ୱପ୍ନ, ଆଶାଆକାଂକ୍ଷା ଦେଖାଇବା ସ୍ୱାଭାବିକ ।

ତେବେ ଗୁରୁବାର ସନ୍ଧ୍ୟାରେ ନିଜ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଅବସରରେ ଭାରତ ସହ ପାକିସ୍ତାନର ସମ୍ଭାବ୍ୟ ସମ୍ପର୍କକୁ ନେଇ ଇମ୍ରାନ ଯେଉଁ ଟିପ୍ପଣୀ ରଖିଛନ୍ତି ତାକୁ ଟିକେ ତଳେଇକି ଦେଖିଲେ ନୈରାଶ୍ୟ ସ୍ପଷ୍ଟ ବାରିହେଉଛି । ନିଜ ପୂର୍ବସୁରୀଙ୍କ ଠାରୁ କଶ୍ମୀର ପ୍ରସଙ୍ଗରେ ସେ କିଛି ଭିନ୍ନ କହିନାହାନ୍ତି। ଦ୍ୱିପାକ୍ଷିକ ସମ୍ପର୍କରେ ‘ କଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ’ ବୋଲି ପାକ୍‌-ସେନାର ହାତବାରିସୀ ସାଜିବାକୁ ଯାଉଥିବା ଏହି ଭାବୀ ପ୍ରଧାନମନ୍ତ୍ରୀ କହିବା କଥାକୁ ଭାରତରେ ସହଜେ କେହି ଗ୍ରହଣ କରିବେନି । ସେହିପରି ତାଙ୍କୁ ଭାରତୀୟ ମିଡିଆ ଜଣେ ଭିଲେନ ବୋଲି ବିଚାର କରିବା, ଉପମହାଦେଶରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ଭାରତ ଦାୟୀ କରିବା କଥା ହାସ୍ୟାସ୍ପଦ ବୋଲି ଇମ୍ରାନ ଅଭିହିତ କରିସାରିଛନ୍ତି । ଯାହାକି, ଭାରତ ପାଇଁ ଆନନ୍ଦ ଆଣିଦେଇନାହିଁ । ସେହିପରି ଚୀନକୁ ଅହେତୁକ ପ୍ରଶଂସାରେ ପୋତିଦେଇ ଇମ୍ରାନ ଭାରତୀୟମାନଙ୍କୁ ନିରୁତ୍ସାହିତ କରିବା ସାର ହୋଇଛି । ତେଣୁ ‘ଭାରତ ପାଦେ ଆଗେଇଲେ ପାକିସ୍ତାନ ଦୁଇପାଦ ଆଗେଇବ’ ବୋଲି ତାଙ୍କ ବାହାସ୍ଫୋଟ ବିଶେଷ କିଛି ମାନେ ରଖୁନଥିବା ସ୍ପଷ୍ଟ ହୋଇଛି ।

ସେପଟେ ପାକିସ୍ତାନର ନୂଆ ସୁଲତାନ ହେବାକୁ ଯାଉଥିବାବେଳେ ଇମ୍ରାନ ଖାନ ନିକଟକୁ ଛୁଟିଛି ଶୁଭେଛାର ସୁଅ । ଏହା ଭିତରେ ଇମ୍ରାନଙ୍କ ପ୍ରଥମ ପତ୍ନୀ ଜେମିମା ଟ୍ୱିଟ ଜରିଆରେ ଜଣାଇଥିବା ଶୁଭେଚ୍ଛା ଏବେ ଭାଇରାଲ ହୋଇଛି । ଇମ୍ରାନଙ୍କୁ ତାଙ୍କ ପୁଅଙ୍କ ବାପା ବୋଲି ସମ୍ବୋଧନ କରି ଟ୍ୱିଟ କରିଛନ୍ତି ଜେମିମା ଗୋଲ୍ଡସ୍ମିଥ । ୨୨ବର୍ଷର ବଳିଦାନ, ଅପମାନ ଓ ବାଧାବିଘ୍ନ ପରେ ତାଙ୍କ ପୁଅଙ୍କ ବାପା ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବୋଲି ସେ ଲେଖିଛନ୍ତି । ତାଙ୍କର ଏହି ବୟାନ ଚର୍ଚ୍ଚାରେ ରହିଛି ।