ପାକ୍ ନିର୍ବାଚନରେ ଅସ୍ପଷ୍ଟ ଜନମତ ! ଛୋଟ ଦଳ ସହାୟତାରେ ସରକାର ଗଢ଼ିବ ଇମ୍ରାନ ଖାନଙ୍କ ପିଟିଆଇ ।

34

କନକ ବ୍ୟୁରୋ : ପାକିସ୍ତାନରେ ହେବ ମେଂଟ ସରକାର । ପାକିସ୍ତାନ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ ଖାନ୍ଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ୍କୁ ୧୧୫ଟି ଆସନ ମିଳିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୩୭ ଥିବାରୁ ଅନ୍ୟ କ୍ଷୁଦ୍ର ଦଳଗୁଡିକର ସହଯୋଗରେ ମେଂଟ ସରକାର ଗଠନ ନିମନ୍ତେ ବଡ ଦଳ ଭାବେ ଇମ୍ରାନ ଖାନଙ୍କ ପିଟିଆଇ ଏବେ ସରକାର ଗଠନ ପାଇଁ ଅନ୍ୟ କ୍ଷୁଦ୍ର ଦଳ ଗୁଡିକ ସହ ଆଲୋଚନା ଆରମ୍ଭ କରିଛନ୍ତି । ଜେଲରେ ବନ୍ଦୀ ଥିବା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନୱାଜ ସରିଫଙ୍କ ଦଳ ପିଏମଏଲକୁ ୬୨ ଆସନ ମିଳିଛି । ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପିପିପି ମାତ୍ର ୪୩ ଆସନ ପାଇଛି ।

ତେବେ ନିଜେ ବିଲାୱାଲ ନିର୍ବାଚନ ହାରି ଯାଇଥିବାରୁ ଦଳରେ ନୈରାଶ୍ୟ ଖେଳିଯାଇଛି । ସେପଟେ ପିଏମଏଲ-ଏନ ପକ୍ଷରୁ କୁହାଯାଇଛି ଦଳ ଏକ ସୁଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବ । ତେବେ ବହୁ ଆସନରେ ବୁଥ୍ ଜବରଦଖଲ ଓ ଜାଲିଆତି ପ୍ରମାଣ ମିଳିଥିବାରୁ ଏହା ବିରୋଧରେ ପିପିପି ଓ ପିଏଲଏମଏନ୍ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଇମ୍ରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିବାରୁ ଆଗକୁ ଭାରତ ପାକିସ୍ତାନ ସମ୍ପର୍କ କଣ ହେବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇମ୍ରାନଙ୍କ ଶୁଭେଛା ଜଣାଇଛନ୍ତି ।