ଆଉ ମାତ୍ର ୧୦ ସପ୍ତାହ, କାଙ୍ଗାଳ ହୋଇପାରେ ପାକିସ୍ତାନ ! ଭାରତକୁ ଘେରିବା ପାଇଁ ଚୀନର ନୂଆ ଚାଲ୍

51

କନକ ବ୍ୟୁରୋ : ପାକିସ୍ତାନ ଚୀନକୁ ସବୁବେଳେ ସମର୍ଥନ କରିଆସିଛି । ଆତଙ୍କବାଦୀ ପ୍ରସଙ୍ଗରେ ମଧ୍ୟ ଚୀନ୍, ପାକିସ୍ତାନକୁ ସମର୍ଥନ କରିଛି । ପାକିସ୍ତାନ ଏବେ ଲଗାତାର ଭାବେ ଚୀନ ଠାରୁ ୠଣ ନେଉଛି । ଅନ୍ୟପଟେ ଏବେ ପାକିସ୍ତନାରେ ରାଜନୈତିକ ଅବସ୍ଥା ମଧ୍ୟ ଠିକ ନାହିଁ । ସେନା ଓ ସରକାର ମଧ୍ୟରେ ବିବାଦ ଲାଗିରହିଛି । ଏପରିସ୍ଥଳେ ପାକିସ୍ତାନ ଉପରେ ବଡ଼ ସଙ୍କଟ଼ ମାଡ଼ିପଡ଼ୁଛି । ପାକିସ୍ତାନ ଟଙ୍କାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଲଗାତାର ହ୍ରାସ ପାଉଛି । ୧ ଡଲାର ତୁଳନାରେ ପାକିସ୍ତାନ ଟଙ୍କାର ମୂଲ୍ୟ ୧୨୦ ଟଙ୍କା ପର୍ଯ୍ୟନ୍ତ କମିଯାଇଛି । ଏହାସହ ପାକିସ୍ତାନର ଟୁରିଜମରେ ଆସୁଥିବା ଆନ୍ତର୍ଜାତୀତ ମୁଦ୍ରାର ଭଣ୍ଡାର ଲଗାତାର କମ୍ ହେବାରେ ଲାଗିଛି ।

ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ଏବେ ମାତ୍ର ୧୦.୩ ଡଲାରର ବିଦେଶୀ ମୁଦ୍ରାର ଭଣ୍ଡାର ହିଁ ଗଚ୍ଛିତ ଅଛି । ଯାହା ଗତ ବର୍ଷ ମେ ମାସରେ ରେ ୧୬.୪ ଡଲାର ଥିଲା । ଦିନକୁ ଦିନ ପାକିସ୍ତାନ ମୁଣ୍ଡରେ ଋଣବୋଝ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ପାକିସ୍ତାନ ଚୀନ ଠାରୁ ଚଳିତ ବିତ୍ତ ବର୍ଷରେ ନେଇଥିବା ଋଣ ପାଖାପାଖି ୫ ବିଲିୟନ୍ ଡଲାର ପର୍ଯ୍ୟନ୍ତ ପହଞ୍ଚିବା ଉପରେ ଅଛି ।

ସୂଚନା ଅନୁସାରେ ପାକିସ୍ତାନ, ଚୀନ ଠାରୁ ୧-୨ ବିଲିୟନ୍ ଡଲାରର ନୂଆ ଋଣ ନେବାକୁ ଯାଉଛି । କୁହାଯାଉଛି ପାକିସ୍ତାନ ପାଖରେ ଯେତିକି ବିଦେଶୀ ମୁଦ୍ରା ଅଛି ତାହା ମାତ୍ର ୧୦ ସପ୍ତାହ ପର୍ଯ୍ୟନ୍ତ ଚାଲିପାରିବ । ଆଉ ଏବେ ପାକିସ୍ତାନର ବେପାର ବଣିଜରେ ମଧ୍ୟ ଲଗାତାର କ୍ଷତି ସହିବା ପାଇଁ ପଡ଼ୁଛି । ଏହାବ୍ୟତୀତ ତୈଳର ମୂଲ୍ୟ ବୃଦ୍ଧି ହେତୁ ପାକିସ୍ତାନ ଉପରକୁ ଅଧିକ ସଙ୍କଟ ତଥା କ୍ଷତି ଆସିପାରେ ବୋଲି କୁହାଯାଉଛି । ଏପଟେ ଭାରତକୁ ଘେରିବା ପାଇଁ ଚୀନ ଲଗାତାର ପଡ଼ୋଶୀ ଦେଶର ଅସ୍ଥିରତାର ଫାଇଦା ଉଠାଇ ନିଜ ଋଣଜାଲରେ ଛନ୍ଦିପକାଉଛି ବୋଲି କୁହାଯାଉଛି । ଚୀନ ନିଜ ଋଣ ଜାଲରେ ପୂର୍ବରୁ ଶ୍ରୀଲଙ୍କାକୁ ଫସାଇ ସାରିଛି । ଅନ୍ୟପଟେ ନେପାଳ ଉପରେ ମଧ୍ୟ ଚୀନର ଦୃଷ୍ଟି ରହିଛି ।

ସୂଚନାଯୋଗ୍ୟ ପାକିସ୍ତାନରେ ପ୍ରାୟ ଲୋକ ଆୟକର ପଇଠ କରନ୍ତି ନାହିଁ । ୨୦୦୭ରେ ଆୟକର ପଇଠ କରୁଥିବା ଲୋକଙ୍କ ସଂଖ୍ୟା ଥିଲା ୨୧ ଲକ୍ଷ । ଯାହା ୨୦୧୭ରେ ହ୍ରାସ ପାଇ ୧୨ ଲକ୍ଷ ୬୦ ହଜାର ହୋଇଯାଇଛି ।