କ୍ରିକେଟ୍ ନେଲା ଜୀବନ ! ବାଉନ୍ସର୍ ବଲ୍ ବାଜି ପାକିସ୍ତାନର ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ

38

କନକ ବ୍ୟୁରୋ : ବାଉନ୍ସର୍ ବଲ୍ ବାଜି ପାକିସ୍ତାନର ମରଦାନ ସହରରେ ଜଣେ ଯୁବ କ୍ରିକେଟରଙ୍କ ମୃତ୍ୟୁ ହୋଇଛି । କ୍ଲବ କ୍ରିକେଟ ମ୍ୟାଚ୍ ବେଳେ ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ବଲ୍ ବାଜିବାରୁ ଏଭଳି ଅଘଟଣ ଘଟିଛି । ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୪ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଜୁବେର ଅହମଦ ହେଲମେଟ୍ ନପିନ୍ଧି ବ୍ୟାଟିଂ କରୁଥିଲେ । ସେହି ସମୟରେ ଏକ ବାଉନସର୍ ବଲ୍ ତାଙ୍କ ମୁଣ୍ଡରେ ବାଜିଥିଲା । ସଂଗେ ସଂଗେ ଜୁବେର ତଳେ ପଡ଼ିଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଭଳି ଦୁଃଖଦ ଘଟଣାରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ୨୦୧୪ରେ ଅଷ୍ଟ୍ରେଲିଆ ଓପନର ଖେଳାଳୀ ଫିଲିଫ ହ୍ୟୁଜଙ୍କ ମୁଣ୍ଡରେ ବାଉନସର ବଲ୍ ବାଜିବାରୁ ମୃତ୍ୟୁ ଘଟିଥିଲା । ସେ ସମୟରେ ଏଭଳି ଦୁଃଖଦ ଘଟଣାକୁ ନେଇ ସାରା ବିଶ୍ୱରେ ଶୋକ ପ୍ରକାଶ ପାଇଥିଲା । ସଂପୂର୍ଣ୍ଣ ସେଫଟି ହେଲମେଟ୍ ବ୍ୟବହାର ନକରିବା ଫଳରେ ଏଭଳି ଅଘଟଣ ବାରମ୍ବାର ଘଟୁଥିବାରୁ ସେଲଫି ହେଲମେଟ୍ ବ୍ୟବହାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଖେଳାଳିମାନଙ୍କୁ କୁହାଯାଇଛି ।