ଭାରତର ପ୍ରତିରକ୍ଷା ବଜେଟ ଦେଖି ତ୍ରାହି ତ୍ରାହି ଡ଼ାକୁଛି ପାକିସ୍ତାନ ! ଭାରତ ବିରୋଧରେ ଅଭିଯୋଗ କରି ଜାତିସଂଘର ଶରଣ ପଶିଲା ପାକିସ୍ତାନ

95

ଭାରତକୁ ନେଇ ଚିନ୍ତାରେ ପାକିସ୍ତାନ । ଭାରତର ପ୍ରତିରକ୍ଷା ବଜେଟକୁ ଦେଖି ପାକିସ୍ତାନ ତ୍ରାହି ତ୍ରାହି ଡାକୁଛି । ଗୋଟିଏ ପଟେ ଭାରତରେ ଅଭିଯୋଗ ହେଉଛି ଯେ ସେନାର ଅଧୁନୀକିକରଣ ପାଇଁ ସରକାର ଆବଶ୍ୟକ ଅର୍ଥ ଦେଉ ନାହାନ୍ତି । ପୂର୍ବବର୍ତ୍ତି ସରକାରମାନଙ୍କ କ୍ରମାଗତ ଅବହେଳା ଯୋଗୁଁ ୧୯୬୨ ପରଠାରୁ ଭାରତର ପ୍ରତିରକ୍ଷା ଖର୍ଚ୍ଚ ସବୁଠୁ କମ ସ୍ତରରେ ରହିଛି । ଅର୍ଥ ଅଭାବରୁ ବାୟୁ ସେନାରେ ଲଢୁଆ ବିମାନ ଅଭାବ ରହିଛି । କିନ୍ତୁ ସେପଟେ ଭାରତର ସାମରିକ ଖର୍ଚ୍ଚକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡିଛି ଓ ଏ ନେଇ ଜାତିସଂଘରେ ଅଭିଯୋଗ କରିଛି । ଭାରତର ବଢିଚାଲିଥିବା ପ୍ରତିରକ୍ଷା ବଜେଟ ସମଗ୍ର ଦକ୍ଷିଣ ଏସିଆର ଭାରସାମ୍ୟକୁ ନଷ୍ଟ କରୁଛି ଓ ଏଥିପାଇଁ ପଡୋଶୀ ଦେଶମାନଙ୍କ ପାଇଁ ବିପଦ ମାଡିଆସୁଛି ବୋଲି ପାକିସ୍ତାନ ତରଫରୁ ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଏକ ପାକିସ୍ତାନୀ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।

କିଛିଦିନ ତଳେ ଷ୍ଟକହୋମ ଇଣ୍ଟରନାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ତରଫରୁ କୁହାଯାଇଥିଲା ଯେ ୨୦୧୭ରେ ବିଶ୍ୱର ସାମରିକ ବଜେଟ ପ୍ରାୟ ୧.୧ ପ୍ରତିଶତ ବଢି ୧.୭୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ପ୍ରତିରକ୍ଷା ବ୍ୟୟ ଦୃଷ୍ଟିରୁ ଆମେରିକା ନଂ୧ ସ୍ଥାନରେ ଥିବାବେଳେ ତାପଛକୁ ଚୀନ, ସାଉଦି ଆରବ ଓ ଋଷିଆ ଅଛନ୍ତି । ୫ମ ସ୍ଥାନରେ ଭାରତ ରହିଛି । ଏହି ୫ଟି ଦେଶ ବିଶ୍ୱର ମୋଟ ସାମରିକ ବଜେଟର ୬୦ ପ୍ରତିଶତ ବ୍ୟୟ କରୁଛନ୍ତି । ୨୦୧୭ରେ ଭାରତର ପ୍ରତିରକ୍ଷା ବ୍ୟୟ ୫.୫ ପ୍ରତିଶତ ବୃଦ୍ଧି ପାଇ ୬୩.୯ ବିଲିୟନ ଡଲାର ଛୁଇଁଥିଲା ।