ପାକିସ୍ତାନ ବିରୋଧରେ ପଦକ୍ଷେପ ନେବାକୁ ୩ ସେନାକୁ ପୂର୍ଣ୍ଣ ସ୍ୱାଧୀନତା: ଜବାବ ଦେବାକୁ ସ୍ଥାନ ସମୟ ଚୂଡାନ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

280

କନକ ବ୍ୟୁରୋ: ପାକିସ୍ତାନ ବିରୋଧରେ ପଦକ୍ଷେପ ନେବାକୁ ୩ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ଭାରତ ସରକାର । ଜବାବ ଦେବାକୁ ସ୍ଥାନ ସମୟ ଚୂଡାନ୍ତ କରି ଉଚିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି । ସୀମାରେ ପାକିସ୍ତାନର ଦୁଃସାହାସକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପରେ ଏହି ସ୍ୱାଧୀନତା ଦେଇଛି ଭାରତ ସରକାର ।

ଗତକାଲି ସେଭେନ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ତିନି ସେନା ମୁଖ୍ୟଙ୍କ ସମେତ ବରିଷ୍ଠ ସେନା ଅଧିକାରୀମାନେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୋଶୀ ରାଷ୍ଟ୍ରର ଚାପ ଆଗରେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ବର୍ତମାନ ସ୍ଥିତିରେ ଆଗକୁ କଣ ପଦକ୍ଷେପ ନିଆଯିବ ସେନେଇ ବୈଠକରେ ଚର୍ଚ୍ଚା ହୋଇଛି ।

ସେପଟେ, ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମ୍ଲାରେ ଜୈଶ -ଏ ମହମ୍ମଦ ସଂଗଠନର ସଂପୃକ୍ତିର ନେଇ ପାକିସ୍ତାନକୁ ପ୍ରମାଣ ଦେଇଛି ଭାରତ । ଗତକାଲି ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ଭାରତ ଦସ୍ତାବିଜ୍ ଦେଇଛି । ଏଥିସହ ଆତଙ୍କବାଦୀ ସଂଗଠନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାଇ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏହାଛଡା ଡୋଜିୟରରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଓ ଏହାର ନେତୃତ୍ୱ ବାବଦରେ ମଧ୍ୟ ତଥ୍ୟ ଓ ପ୍ରମାଣ ଦିଆଯାଇଛି ।

ପାକିସ୍ତାନ ବାୟୁସେନା ସୀମା ଉଲ୍ଲଂଘନ କରିଥିବାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ତଲବ କରିଥିଲା । ବିଦେଶ ମନ୍ତ୍ରାଳୟ କହିଛି, ସୀମାପାର ଆତଙ୍କବାଦୀଙ୍କ ବିରୋଧରେ ନନମିଲିଟାରୀ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି । ଆତଙ୍କବାଦୀଙ୍କ ବିରୋଧରେ ଅନ୍ତର୍ଜାତୀୟ ଦାୟିତ୍ୱ ତୁଳାଇବାରେ ପାକିସ୍ତାନ ବିଫଳ ହୋଇଛି । ହେଲେ ଭାରତ ତାର ଜାତୀୟ ସୁରକ୍ଷା, ସାର୍ବଭୌମତ୍ୱ ରକ୍ଷା ପାଇଁ ଅତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରୁ ସଂପୂର୍ଣ୍ଣ ଅଧିକାର ରହିଛି ।