ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ଦେଇ ଅଡୁଆରେ ପାକିସ୍ତାନୀ ଅଧିନାୟକ ! ସରଫରାଜଙ୍କୁ ୪ଟି ମ୍ୟାଚରୁ ବାସନ୍ଦ କଲା ଆଇସିସି ।

207

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ୍ ସରଫରାଜ ଅହମ୍ମଦଙ୍କୁ ଆଗାମୀ ୪ଟି ମ୍ୟାଚ୍ ପାଇଁ ବାସନ୍ଦ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ତଥା ଆଇସିସି । ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସରଫରାଜ ଅହମ୍ମଦଙ୍କ ପାଇଁ ମହଙ୍ଗା ପଡିଛି । ଏଠାରେ ଚାଲିଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ୨ୟ ଏକଦିବସୀୟ ମ୍ୟାଚରେ ସେ ଦକ୍ଷିଣଆଫ୍ରିକାର କୃଷ୍ଣକାୟ ଖେଳାଳୀ ଆଡିଲ ଫେଲୁକାେଓ୍ଵାଙ୍କ ବିରୋଧରେ ଦେଇଥିବା ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାଇଁ ତାଙ୍କୁ ୪ଟି ମ୍ୟାଚ ପାଇଁ ନିଲମ୍ବିତ କରାଯାଇଛି । ସରଫରାଜଙ୍କ ମନ୍ତବ୍ୟ ଆଇସିସିର ବର୍ଣ୍ଣବୈଷମ୍ୟବାଦୀ ନିରୋଧୀ ନିୟମର ଉଲ୍ଲଙ୍ଘନ ବୋଲି ଆଇସିସି ଜାଣିବା ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।

ଡରବାନ ମ୍ୟାଚରେ ସେ ଆଡିଲଙ୍କୁ ଦେଇଥିବା ମନ୍ତବ୍ୟ ଷ୍ଟମ୍ପ କ୍ୟାମେରାରେ ଧରା ପଡିଥଲା । ଏ ନେଇ ତଦନ୍ତ ହେବା ପରେ ସରଫରାଜ ଦୋଷ ସ୍ୱୀକାର କରିଥିଲେ । ମ୍ୟାଚ ରେଫରି ରଂଜନ ମଦୁଗଲେ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେଇଥିଲେ । ଏହା ଫଳରେ ସେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଅବଶିଷ୍ଟ ଏକଦିବସୀୟ ଓ ଟି୨୦ ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ସୋଏବ ମଲ୍ଲିକ ପାକିସ୍ତାନ ଦଳର ନେତୃତ୍ୱ କରିବେ ।