ସୁଷମା ଦେଲେ ଭିସା ! କରାଚିରୁ ଆସି ଭାରତରେ ବାହାହେଲେ ପାକ ଝିଅ

46

ଯୋଧପୁରର ନରେଶ ତେୱାନୀ ଓ କରାଚିର ପ୍ରିୟା ବଚଚାନୀଙ୍କ ମଧ୍ୟରେ ବିବାହ ପାଇଁ ଗତ ୩ ବର୍ଷ ତଳୁ ଦୁଇ ପରିବାର ମଧ୍ୟରେ ନିଷ୍ପତି ହୋଇସାରିଥିଲା । ଯୋଧପୁରରେ ନଭେମ୍ବର ୭ ତାରିଖରେ ବିବାହ ହେବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା । ଦୁଇ ପରିବାର ବିବାହ ଆୟୋଜନରେ ଲାଗି ଯାଇଥିଲେ, ଏବଂ ନିମନ୍ତ୍ରଣ ପତ୍ର ମଧ୍ୟ ବଂଟା ସରିଥିଲା ।

କିନ୍ତୁ କିଛିଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଲାଗି ରହିଥିବାରୁ ପ୍ରିୟା ଏବଂ ତାଙ୍କ ପରିବାରଙ୍କୁ ଭିସା ମିଳିବାରେ ସମସ୍ୟା ହୋଇଥିଲା । ଏଥିପାଇଁ ଦୀର୍ଘ ମାସେ ହେଲା ପ୍ରିୟାର ପରିବାର ପକ୍ଷରୁ ଉଦ୍ୟମ ହୋଇ ଆସୁଥିଲେ ମଧ୍ୟ ଭାରତୀୟ ଦୂତାବାସ ସେମାନଙ୍କୁ ଭାରତ ଆସିବାକୁ ଭିସା ଦେଇନଥିଲେ, ଏବଂ ବିବାହ ମଧ୍ୟ ନିର୍ଦ୍ଧାରିତ ସମୟରେ ହୋଇପାରିନଥିଲା । ଏଭଳି ପରିସ୍ଥିତିରେ ଉଭୟ ପରିବାର ମଧ୍ୟରେ ହତାଶା ଛାଇଯାଇଥିଲା ।
ନରେଶ ତାଙ୍କ ବିବାହରେ ଉପୁଜିଥିବା ସମସ୍ୟା ସମ୍ବନ୍ଧରେ ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଜଣାଇଥିଲେ ଏବଂ କନ୍ୟା ସମେତ ତାଙ୍କର ପରିବାରର ୩୫ ଜଣ ସଦସ୍ୟଙ୍କୁ ଭିସା ଯୋଗାଇଦେବାକୁ ଅନୁରୋଧ ମଧ୍ୟ କରିଥିଲେ । ସୁଷମା ସ୍ୱରାଜ ଏହି ସମସ୍ୟା ସମ୍ବନ୍ଧରେ ଅବଗତ ହେବାପରେ ନିଜେ ହସ୍ତକ୍ଷେପ କରି ଦୂତାବାସ ତରଫରୁ ପ୍ରିୟା ତାଙ୍କ ପରିବାରକୁ ଭିସା ଯୋଗାଇବାରେ ସାହାଯ୍ୟ କରିଥିଲେ ।

ପ୍ରିୟାଙ୍କ ସହ ତାଙ୍କ ପରିବାର ସଦସ୍ୟ ୱାଘା ସୀମାନ୍ତ ଦେଇ ଥର୍ ଏକ୍ସପ୍ରେସରେ ପାକିସ୍ତାନ ଛାଡିଥିଲେ । ସେମାନେ ଭାରତରେ ପହଂଚିବା ପରେ ସୁଷମାଙ୍କୁ ଧନ୍ୟବାଦ ଜଣାଇଥିଲେ । ସବୁପ୍ରକାର ପରିସ୍ଥିତିକୁ ସାମ୍ନା କରି ଶେଷରେ ନରେଶ ଏବଂ ପ୍ରିୟା ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଶେଷରେ ଏତିକି କୁହାଯାଇପାରିବ ଦୁଇଟି ହୃଦୟକୁ ଏକ କରିବାରେ ସୁଷମା ସ୍ୱରାଜ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ।