ବେନଜିର ହତ୍ୟା ମାମଲା ! ମୁଶରଫଙ୍କୁ ପଳାତକ ଘୋଷଣା

27

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ ମୁଶରଫଙ୍କୁ ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ପଳାତକ ଘୋଷଣା କରିଛନ୍ତି । ପାକିସ୍ତାନ ପିପୁଲସ ପାର୍ଟିର ପୂର୍ବତନ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟାକାଣ୍ଡ ମାମଲାରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି । ଏକ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସେନାଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶରଫଙ୍କୁ କୋର୍ଟ ପଳାତକ ଘୋଷଣା କରିବା ପ୍ରଥମ ଘଟଣା ।

୧୯୯୯ରୁ ୨୦୦୧ ଏବଂ ୨୦୦୧ ରୁ ୨୦୦୮ ରାଷ୍ଟ୍ରପତି ଥିବା  ମୁଶରଫ ଏବେ ସାଉଦି ଆରବରେ ନିର୍ବାସିତ ଜୀବନ ବିତାଉଛନ୍ତି । ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ବାରମ୍ବାର କୋର୍ଟରେ ହାଜିର ହେବା ପାଇଁ ନୋଟିସ ଜାରି କରାଯାଇଥିବା ବେଳେ  ମୁଶରଫ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କର ସଂପତି ଜବତ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି । ମୁଶରଫ ନାମରେ ଦେଶଦ୍ରୋହ ସହ କେତେକ  ହତ୍ୟା ମାମଲା ଚାଲିଛି । ଏସବୁ ମାମଲାରେ ଆତଙ୍କ ନିରୋଧୀ କୋର୍ଟ ମୁସରଫଙ୍କୁ ମୃତ୍ୟୁଦଣ୍ଡ  ଦେବାର ଆଶଙ୍କା ମଧ୍ୟ ରହିଛି । ଏସବୁ କାରଣରୁ ମୁଶରଫ ଦେଶ ଛାଡି ପଳାୟନ କରିଥିବା କୁହାଯାଉଛି ।

ବେନଜିର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ପାକିସ୍ତାନ ପିପୁଲସ୍ ପାର୍ଟି ଚେୟାରମ୍ୟାନ୍ ତଥା ବେନଜିରଙ୍କ ପୁଅ ବିଲାବେଲ ଭୁଟ୍ଟୋ ଜରଦାରି ନିନ୍ଦା କରିଛନ୍ତି । ୧୦ ବର୍ଷ ପରେ ବେନଜିରଙ୍କ ହତ୍ୟାକାଣ୍ଡ ମାମଲାରେ ଅଦାଲତ ଯେଉଁ ଦଣ୍ଡ ପ୍ରଦାନ କରିଛନ୍ତି ସେଥିରେ ସେ ଦଳ ତରଫରୁ ନିରାଶା ବ୍ୟକ୍ତ କରିଛନ୍ତି । ବେନଜିରଙ୍କ ହତ୍ୟାକାଣ୍ଡ ମାମଲାରେ ପାକିସ୍ତାନର ୨ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଦଣ୍ଡ ପ୍ରଦାନ କରିଛନ୍ତି । ବିଚାରପତି ମହମ୍ମଦ ଅଜହର ଖାନ ଏହି ମାମଲାର ବିଚାର କରି ୨ ଜଣ ପୋଲିସ ଅଧିକାରୀଙ୍କୁ ୧୭ ବର୍ଷ ଲେଖାଁଏ ଜେଲ ଦଣ୍ଡ ପ୍ରଦାନ କରାଯିବା ସହ ୫ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିଛନ୍ତି ।

ପୁଲିସ ଅଧିକାରୀ ସଉଦ ଅଜିଜ ଏବଂ ଖୁରମ ଶହଜାଦ ନିଜର କର୍ତବ୍ୟରେ ଅବହେଳା କରିଥିବା ପ୍ରମାଣିତ ହୋଇଥିବା ବିଚାରପତି ରାୟ ଶୁଣାଣିବେଳେ କହିଛନ୍ତି । ୨୦୦୭ ମସିହା ଡିସେମ୍ବର ୨୭ ତାରିଖରେ ପାକିସ୍ତାନର ଦୁଇଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ୫୪ ବର୍ଷୀୟ ବେନଜୀର ଭୁଟ୍ଟୋଙ୍କୁ ଆତ୍ମଘାତୀ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ୨୦୦୭ରେ ମୁଶରଫ ପାକିସ୍ତାନରେ ଜରୁରୀ ପରିସ୍ତିତି ଜାରି କରିଥିଲେ ।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଉଲପିଣ୍ଡିର ଲିଆକତ ବାଗ ରାଲିରେ ଭାଗନେଇ ସଂଧ୍ୟାରେ ଫେରୁଥିବା ସମୟରେ ବେନଜିରଙ୍କ କାର ନିକଟକୁ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଯାଇ ବୋମାଦ୍ୱାରା ନିଜକୁ ଉଡ଼ାଇ ଦେଇଥିଲା । ପରେ ବେନଜିରଙ୍କ ସୁରକ୍ଷାକର୍ମୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରବଳ ଗୁଳିଚାଳନା ହୋଇଥିଲା ।  ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଗୁଳିଚାଳନାରେ ବେନଜିରଙ୍କୁ ହତ୍ୟା କରାଯାଇଥିବା ମାମଲା ୧୦ ବର୍ଷ ଚାଲିବା ପରେ କୋର୍ଟ ରାୟ ପ୍ରକାଶ କରିଛନ୍ତି  ।

ବେନଜରିଙ୍କ ହତ୍ୟାକାଣ୍ଡ , ସୁପ୍ରିମ କୋର୍ଟ ପୂର୍ବତନ ବିଚାରପତି ଇଫତକାର ମହମ୍ମଦ ଚୋ÷ଧୁରୀଙ୍କୁ ପଦରୁ ହଟାଇବା , ଲାଲ୍ ମସଜିଦ ଆକ୍ରମଣ, ବେଲୁଚିସ୍ତାନ ନେତା ଅକବର ବୁଗତିଙ୍କୁ ହତ୍ୟା ଭଳି ମାମଲାରେ ପାକିସ୍ତାନରେ ମୁସାରଫଙ୍କ ବିରୋଧୀ ଜନମତ ପ୍ରବଳ ରହିଛି । ତେଣୁ ଏଭଳି ସମୟରେ ମୁଶରଫ ପାକିସ୍ତାନ ଫେରିବାକୁ ଚାହୁଁନାହାଁନ୍ତି । ବେନଜିରଙ୍କ ହତ୍ୟାକାଣ୍ଡ ମାମଲାରେ ଆତଙ୍କନିରୋଧୀ  କୋର୍ଟ ୫ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।