ଏଲଓସିରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ପାକ୍ କମାଣ୍ଡୋ ଓ ଆତଙ୍କୀ : ଗ୍ରେନେଡ ମାଡ କରି ଷଡ଼ଯନ୍ତ୍ର ପଣ୍ଡ କଲା ଭାରତୀୟ ସେନା, ଭାଇରଲା ହେଲା ଭିଡିଓ ଫୁଟେଜ

467

କନକ ବ୍ୟୁରୋ : ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ସୁଧୁରିବା ବଦଳରେ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଚାଲ ଖେଳୁଛି । ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କୀ ଓ ପାକ୍ କମାଣ୍ଡୋ ଲଗାତାର ପ୍ରୟାସ କରୁଛନ୍ତି । ଆଉ ଏଲଓସିରେ ପାକିସ୍ତାନ ଦେଖାଇଥିବା ଦୁଃସାହାସର ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ପାକିସ୍ତାନ ବର୍ଡର ଆକ୍ସନ ଟିମ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଆଉ ସେହି ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି ।

 

ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହାଜିପୁରା ସେକ୍ଟରରେ ବାଟ ଓ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମର ଭିଡିଓ ଫୁଟେଜ ଏବେ ଆପଣ ଆପଣଙ୍କ ଟିଭି ସ୍କ୍ରିନରେ ଦେଖୁଛନ୍ତି । ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ସୁରକ୍ଷା କର୍ମୀ ଗ୍ରେନେଡ ମାଡ କରି ତାଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦେଇଛନ୍ତି । କେବଳ ହାଜିପୁରା ନୁହେଁ ପାକ ବର୍ଡର ଆକ୍ସନ ଟିମର ବହୁବାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଛନ୍ତି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରଠୁ ପାକିସ୍ତାନ ସେନା ସୀମାରେ ଷଡଯନ୍ତ୍ର ଚଳାଇଛନ୍ତି । ଏଲଓସି ଠାରୁ ମାତ୍ର ୨ କିଲୋମିଟର ଦୁରେ ଏବେ ଆତଙ୍କବାଦୀ ଲଂଚପ୍ୟାଡ ସକ୍ରିୟ କରାଯାଇଛି । ଯେଉଁଠି ତାଲିମପ୍ରାପ୍ତ ୨୪୦ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି ।

ପୂର୍ବରୁ ଗୁରେଜ, ମାଛିଲ, କେରନ, ତଙ୍ଗଧାର, ପୁନଛରେ ମଧ୍ୟ ଅନୁପ୍ରବେଶ ଉଦ୍ୟମ କରିଛନ୍ତି ପାକ କମାଣ୍ଡୋ ଓ ଆତଙ୍କବାଦୀ । ଏହାଛଡା ଭିନ୍ନ ଭିନ୍ନ ସମୟରେ ଏଲଓସିର ନିକଟତମ ଅଂଚଳରେ ଅନୁପ୍ରବେଶ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି । ତେବେ ସୀମାରେ ଭାରତୀୟ ଯବାନଙ୍କ କଡା ସୁରକ୍ଷା ଯୋଗୁଁ ପାକିସ୍ତାନର ସୈତାନୀ ଷଡଯନ୍ତ୍ର ପ୍ରତି ଥର ଫେଲ ମାରିଛି ।