ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ବଢୁଛି ଚାପ : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦର ସଂଗଠନ ଉପରେ ପାକ୍ ଲଗାଇଲା କଟକଣା

253

କନକ ବ୍ୟୁରୋ : ପୁଲବାମା ଆକ୍ରମଣ ପରେ ଭାରତର ଉଗ୍ରରୂପ ଓ ବିଶ୍ୱ ସମୁଦାୟର ଭାରତ ପ୍ରତି ସମର୍ଥନକୁ ଦେଖି ଛାନିଆ ପାକିସ୍ତାନ । ଏଥିପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତଙ୍କବାଦୀ ହାଫିଜ୍ ସଇଦର ସଂଗଠନ ଜମାଏତ ଉଲ ଦାୱାକୁ ନିଷିଦ୍ଧ ଘୋଷଣା କରିଛି । ଏହା ସହିତ ହାଫିଜ ସଇଦର ଫଲା-ଏ ଇନସାନିଅତ୍ ଫାଉଣ୍ଡେସନକୁ ମଧ୍ୟ ନିଷିଦ୍ଧ କରାଯାଇଛି । ଅନ୍ୟପଟେ ଭାରତର ସମ୍ଭାବ୍ୟ ଆକ୍ରଣକୁ ଦୃଷ୍ଟିରେ ରଖି ପାକ୍ ସେନାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଇମ୍ରାନ ।

ପାକ୍ ଜାତୀୟ ନିରାପତ୍ତା କମିଟି ବୈଠକରେ ହାଫିଜର ସଂଗଠନକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି । ହାଫିଜର ସଂଗଠନ ପାକିସ୍ତାନରେ ଉଗ୍ର ଇସଲାମିକ୍ ଚିନ୍ତାଧାରାର ପ୍ରଚାରପ୍ରସାର ଘଟାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଅନ୍ୟପକ୍ଷରେ ହାଫିଜର ସଂଗଠନ ଉପରେ କଟକଣାକୁ ନେଇ ପାକ୍ ରାଜନୀତି ସରଗରମ ହୋଇଛି । ପୂର୍ବରୁ ମଧ୍ୟ ହାଫିଜ୍କୁ ସରକାର କିଛିଦିନ ପାଇଁ ଗୃହବନ୍ଦୀ କରି ରଖିଥିଲେ ଏବଂ ତା’ର ସଂଗଠନ ଉପରେ କଟକଣା ଲଗାଇଥିଲେ । ତେବେ ଏକ କୋର୍ଟ ରାୟ ପରେ ପାକ୍ ସରକାର ହାଫିଜ୍ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇଥିଲେ।

ଜମ୍ମୁ କଶ୍ମୀରର ପୁଲୱାମାରେ ପାକ୍ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ ଆତ୍ମଘାତୀ ଆକ୍ରମଣ କରିଥିଲେ ମଧ୍ୟ ଏହି ସଂଗଠନ ବିରୋଧରେ ପାକ୍ ସରକାର କିମ୍ବା ସେନା ମୁହଁ ଖୋଲୁନାହାନ୍ତି । ଜୈସ୍ ମୁଖ୍ୟ ମସୁଦ୍ ଆଝାର ପାକିସ୍ତାନରୁ ଭାରତ ବିରୋଧରେ ତା’ର କାର‌୍ୟ୍ୟକ୍ରମ ସଂଚାଳନ କରୁଛି ଏବଂ କଶ୍ମୀରକୁ ଲଗାତାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି । ପାକ୍ ସେନା ସହାୟତାରେ ଏବେ ଜୈସର ଶତାଧିକ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଅଂଚଳରେ ତାଲିମ ନେଉଥିବା ଜଣାପଡ଼ିଛି ।