ପାକିସ୍ତାନ ସେନା ମୋତେ ପିଟିନଥିଲେ କିନ୍ତୁ ମାନସିକ ନିର୍ଯାତନା ଦେଇଥିଲେ : ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ 

433

ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଲାଗି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିଛି। ଏଭଳି ଦାବି କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। କିନ୍ତୁ ୫୮ ଘଣ୍ଟା ଧରି ଅଭିନନ୍ଦନଙ୍କୁ ଯୁଦ୍ଧବନ୍ଦୀ କରି ପାକିସ୍ତାନୀ ସେନା ତାଙ୍କୁ ଯେଉଁ ନିର୍ଯାତନା ଦେଇଥିଲେ ତାହା ଅକଥନୀୟ। ଆଜି ବାୟୁସେନା ଅଧିକାରୀଙ୍କ ନିକଟରେ ଏହା ପ୍ରକାଶ କରିଛନ୍ତି ଭାରତୀୟ ହିରୋ ଅଭିନନ୍ଦନ। ପାକିସ୍ତାନର ମୁଖା ଖୋଲି ସେ କହିଛନ୍ତି ଯେ ତାଙ୍କୁ ବନ୍ଦୀ ଭାବେ ଶାରୀରିକ ଯନ୍ତ୍ରଣା ଦିଆଯାଇ ନଥିଲେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା।

ଦିଲ୍ଲୀର ସେନା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ଆଜି ବାୟୁସେନାର ବରିଷ୍ଠ ଅଧିକାରୀ ଭେଟିଥିଲେ । ଏହିସମୟରେ ଅଭିନନ୍ଦନ କହିଛନ୍ତି ଯେ ପାକିସ୍ତାନୀ ସେନା ତାଙ୍କୁ ବନ୍ଦୀ କରିନେବା ପରେ ଚରମ ମାନସିକ ନିର୍ଯାତନା ଦେଇଥିଲା। ତାଙ୍କର ମିଗ୍-୨୧ ବିମାନ ଆକ୍ରମଣର ଶିକାର ହେବାପରେ ସେ ପାରାଚ୍ୟୁଟରେ ତଳକୁ ଓହ୍ଲାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ମାରପିଟ୍ କରିଥିଲେ ଏବଂ ପରେ ପାକ୍ ସେନାକୁ ହସ୍ତାନ୍ତର କରିଥିଲେ। ପାକିସ୍ତାନୀ ସେନା ତାଙ୍କ ଆଖିରେ ପଟି ବାନ୍ଧିବା ସହିତ ହାତକୁ ମଧ୍ୟ ବାନ୍ଧି ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବେ ଠିଆ କରି ଭିଡିଓ ରେକର୍ଡିଂ କରାଇଥିଲା। ଏଭଳି ନିର୍ଯାତନା ସେ ମୁକ୍ତ ହେବା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏଭଳି ଅମାନବୀୟ ଆଚରଣକୁ ଲୁଚାଇବା ଲାଗି ପାକିସ୍ତାନ ଅଭିନନ୍ଦନଙ୍କୁ ଢାଲ କରିଥିଲା। ତାଙ୍କରି ମୁହଁରୁ ପାକିସ୍ତାନର ପ୍ରଶଂସା ଗାନ ପାଇଁ ଚାପ ପକାଇଥିଲା। ଅଭିନନ୍ଦନ ଚା’ ପିଉଥିବା ଭିଡିଓ ଭାଇରାଲ ମଧ୍ୟ କରାଯାଇଥିଲା। ସେନା ତାଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରିଛି ଏବଂ ଭଲ ବ୍ୟବହାର କରୁଛି ବୋଲି ଅଭିନନ୍ଦନ କହୁଥିବା ଦେଖାଯାଇଥିଲା।

କେବଳ ଏତିକି ନୁହେଁ, ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ କେତେକ ପ୍ରଚାର ଭିଡିଓ ଜାରି କରିଥିଲା ଯେଉଁଥିରେ ଅଭିନନ୍ଦନ ପାକିସ୍ତାନୀ ସେନାର ପ୍ରଶଂସା କରିବା ସହିତ ଭାରତୀୟ ମିଡିଆ ବିରୋଧରେ କହୁଥିବା ଦେଖାଯଇଥିଲା। ଏହି ଭିଡିଓକୁ କାଟଛାଣ୍ଟ କରି ଏବଂ ଜାଲ୍ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏଭଳି ରେକର୍ଡିଂ ପାଇଁ ଅଭିନନ୍ଦନଙ୍କ ଫେରିବା ପ୍ରକ୍ରିୟା ତିନି ଘଣ୍ଟା ବିଳମ୍ବିତ ହୋଇଥିଲା। ପ୍ରକ୍ରିୟା ଚୂଡ଼ାନ୍ତ ହେବାପରେ ତାଙ୍କୁ ତାଙ୍କର ଘଣ୍ଟା ଏବଂ ମୁଦି ଫେରାଇ ଦିଆଯାଇଥିବା ବେଳେ ପାକ୍ ସେନା ପିସ୍ତଲ ଫେରାଇ ନଥିଲା। ପିସ୍ତଲ ଫେରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନକୁ କହିବ ବୋଲି ଜଣାପଡ଼ିଛି।ଅନ୍ୟପକ୍ଷରେ ପାକିସ୍ତାନ ଅଭିନନ୍ଦନଙ୍କୁ ଜଣେ ଯୁଦ୍ଧବନ୍ଦୀ ଭାବେ ତାଙ୍କର ନମ୍ବର ୨୭୯୮୧ ବୋଲି ଦର୍ଶାଇଛି। ତେବେ ଭାରତ ପାକିସ୍ତାନର ଏଭଳି ଆଭିମୁଖ୍ୟକୁ କଦାପି ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।