ଜମ୍ମୁ କଶ୍ମୀରର ନୌସେରା ସେକ୍ଟରରେ ସେନା ଉପରେ ଆକ୍ରମଣ ! ଜଣେ ଯବାନ ଓ ଜଣେ ମେଜର ସହିଦ

98

କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଶୁକ୍ରବାର ହୋଇଥିବା ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ଓ ଜଣେ ମେଜର ସହିଦ ହୋଇଛନ୍ତି । ଏହା ବ୍ୟତୀତ ଆଉ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣ ରାଜୌରୀ ଜିଲ୍ଲାକୁ ଲାଗି ଥିବା ନିୟନ୍ତ୍ରଣ ରେଖା ନିକଟ ପୁଖେରନୀ ଅଂଚଳରେ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି, ସଦିଗ୍ଧ ଆତଙ୍କବାଦୀ ରାଜୌରୀ ଜିଲ୍ଲାର ଲାମ ସେକ୍ଟରରେ ସୀମାରେ ଗସ୍ତ କରୁଥିଲେ। ସୈନିକଙ୍କୁ ଟାର୍ଗେଟ କରି ନିୟନ୍ତ୍ରଣ ରେଖାକୁ ଲାଗି ବିସ୍ଫୋରଣ ହୋଇଛି । ସେ କହିଛନ୍ତି ବିସ୍ଫୋରଣରେ ଜଣେ ଜେସିଓ ସମେତ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାରୀ କହିଛନ୍ତି, ପାକିସ୍ତାନୀ ସେନା ତରଫରୁ ହୋଇଥିବା ବିସ୍ଫୋରଣ ଓ ଆକ୍ରମଣ ନେଇ ସେନାର ଯବାନମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଏହି ଘଟଣା ବ୍ୟତୀତ ଶୁକ୍ରବାର ଆତଙ୍କବାଦୀମାନେ ଶ୍ରୀନଗରସ୍ଥିତ ଲାଲ ଛକରେ ପଲାଡିୟମ ସିନେମା ନିକଟରେ ବଙ୍କର ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ। ଏହି ଘଟଣା କରିଥିବା ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଏହି ଘଟଣାରେ କେହି ଆହତ ହୋଇ ନଥିଲେ।