ରକ୍ତଚାଉଳ ଚୋବାଉଛି ପାକିସ୍ତାନ୍ ! ଆକ୍ରମଣ କରିବାର ସୁଯୋଗ ଖୋଜୁଛି ଶତ୍ରୁଦେଶ, ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ଯବାନ

162

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ଯୋଗୁଁ ସ୍ତବ୍ଧ ହୋଇଯାଇଛି ପାକିସ୍ତାନକୁ । ପାକିସ୍ତାନ ସୀମାରେ ପଶି ଭାରତୀୟ ସେନା ଆତଙ୍କବାଦୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେଣୁ ପାକିସ୍ତାନ ଏହାର ବଦଲା ନେବାକୁ ଚେଷ୍ଟା କରିବା ଶଙ୍କା ରହିଛି । ଏହାଛଡା ହମଲା କରି ଅକ୍ଷୟ ଅବସ୍ଥାରେ ଭାରତୀୟ ସେନା ଫେରିଆସିଥିବାରୁ ପାକିସ୍ତାନରେ ବି ପାକ ସେନା ଓ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ଏହା ପାକିସ୍ତାନ ସେନାର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେଣୁ ପାକିସ୍ତାନ ସେନା ରକ୍ତ ଚାଉଳ ଚୋବେଇ ବଦଲା ନେବାର ସୁଯୋଗ ଅପେକ୍ଷାରେ ରହିଛି । ତେବେ ପାକିସ୍ତାନର ସମ୍ଭାବ୍ୟ ହମଲାର କଡା ଜବାବ ଦେବାକୁ ଭାରତୀୟ ସେନା ସଜାଗ ରହିଛି । ସୀମାବର୍ତି ଅଂଚଳରେ ସୁରକ୍ଷା କଡାକଡି କରାଯାଇଛି । ସୀମାନ୍ତ ରାଜ୍ୟ ଜମ୍ମୁକଶ୍ମୀର, ରାଜସ୍ଥାନ ଓ ପଂଜାବ ଓ ହିମାଚଳ ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ପାକିସ୍ତାନ ଭାବି ଚିନ୍ତି କାମ କରୁ ବୋଲି ଚେତେଇ ଦେଇଛନ୍ତି ।

ପାକିସ୍ତାନ ଭିତରେ ପଶି ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ସବୁ ବିରୋଧୀ ଦଳ, ସରକାର ଓ ସେନା ସହ ଏକଜୁଟ ହୋଇଛନ୍ତି । କାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଛି । ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ସିପିଆଇ ନେତା ଡି ରାଜା, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରୀ, ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, ଟିଏମସି ସାଂସଦ ଡାରେକ ଓବ୍ରେନଙ୍କ ସହ ବହୁ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ । ସେନାର କାର୍ଯ୍ୟାନୁଷ୍ଠାନକୁ ସବୁ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି ।

ସୀମାପାର ଆତଙ୍କବାଦୀଙ୍କୁ ନେଇ ସରକାର ବିରୋଧୀଙ୍କ ସ୍ୱର ଏକ ହୋଇଥିବା ବେଳେ ପାକିସ୍ତାନକୁ ଏକ ଘରକିଆ କରିବା ଅଭିଯାନକୁ ଆହୁରି ଗତି ଦେଇଛନ୍ତି କେନ୍ଦ୍ର ସରକାର । ସର୍ବଦଳୀୟ ବୈଠକ ପରେ ସୁଷମା ସ୍ୱରାଜ ବିଭିନ୍ନ ଦେଶର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ବାଲାକୋଟରେ ଜୈଶ ଠିକଣା ଉପରେ ହମଲା କରିଥିବା ନେଇ ଆମେରିକା ବିଦେଶମନ୍ତ୍ରୀ ମାଇକ ପୋମ୍ପିୟୋଙ୍କୁ ଜଣାଇଥିଲେ ସୁଷମା । ସେହିପରି ଚୀନ, ସିଙ୍ଗାପୁର, ବାଙ୍ଗଲାଦେଶ, ଆଫଗାନିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ ସୁଷମା ସ୍ୱରାଜ ଆଲୋଚନା କରିଥିବା ସୂଚନା ମିଳିଛି ।

ପାକିସ୍ତାନ ସୀମାରେ ପଶି, ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ବାୟୁ ସେନା । ଆଉ ଏହାକୁ ନେଇ ଅଡୁଆରେ ପଡିଛି ପାକିସ୍ତାନ । ନା ଭାରତୀୟ ଯବାନଙ୍କ ଶୌର୍ଯ୍ୟ ଓ ବିରତ୍ୱର ଗାଥାକୁ ପାକିସ୍ତାନ ସହିପାରୁଛି ନା ଲୁଚାଇ ପାରୁଛି । ବାଲକୋଟ ହମଲାକୁ ପାକିସ୍ତାନ ସେନା ସ୍ୱିକାର କରିଛି, ହେଲେ ଏଥିରେ କୌଣସି ହତାହତ ହୋଇନଥିବା ଦାବି କରୁଛି ।

ଅନ୍ୟପଟେ ବାୟୁସେନା ହମଲା କରିଥିବା ୩ଟି ସ୍ଥାନରେ ସେନା ମୁତୟନ କରାଯାଇ ଆକ୍ରମଣର ପ୍ରମାଣ ନଷ୍ଟ କରୁଥିବା ସୂଚନା ମିଳିଛି । ଯାହାକୁ ପରେ ଅନ୍ତର୍ଜାତୀୟ ମିଡିଆ ଡାକି ଘଟଣାସ୍ଥଳ ବୁଲାଇ ଭାରତ ହମଲା କରିନଥିବା କହିପାରିବ ଇସଲାମାବାଦ । ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଭାରତର ଆକ୍ରମଣକୁ ସ୍ୱୀକାର କରିଛନ୍ତି । ହେଲେ ଆତଙ୍କବାଦୀ ଆଡ୍ଡା ଉପରେ ହମଲା ଘଟଣାକୁ ସେ ସଂପୁର୍ଣ୍ଣ ଅସ୍ୱୀକାର କରିଛନ୍ତି । ଆଉ ଆଗାମୀ ଦିନରେ ଭାରତକୁ ପାକିସ୍ତାନ କଡା ଜବାବ ଦେବ ବୋଲି କହିଛନ୍ତି ଆସିଫ ଗଫୁର ।