ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ ବୟାନ । କହିଲେ ପାକିସ୍ତାନ ବି କରିଛି ସର୍ଜିକାଲ ଷ୍ଟ୍ରାଇକ୍, ସେପଟେ ରାଷ୍ଟ୍ରପତିଙ୍କୁ କଲେ ଆକ୍ଷେପ ।

254

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଜାତିଗତ ଟିପ୍ପଣୀ କରିବା ପରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଗଣମାଧ୍ୟମ ସହ ଆଲୋଚନା ବେଳେ ଗେହଲଟ୍ କହିଛନ୍ତି ଯେ, ‘ଭାରତ କେବଳ ଏକାକୀ ଦେଶ ନୁହେଁ, ଯିଏକି ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ପାକିସ୍ତାନ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରିଛି । କିନ୍ତୁ ତାଙ୍କ ପକ୍ଷରୁ କିଏ କୌଣସି ବୟାନ ଦେଇନାହାନ୍ତି ।’ ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ, ସର୍ଜିକାଲ ଷ୍ଟ୍ରାଇକ୍ ସମସ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ହୋଇଛି । କିନ୍ତୁ କେହି ଏବାବଦରେ କିଛି ତଥ୍ୟ ଦିଅନ୍ତି ନାହିଁ । ବିଜେପି ନେତାଙ୍କ ପାଖରେ ଅଭିଜ୍ଞତା ନଥିବାରୁ, ସେମାନେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବାହାସ୍ଫଟ ମାରୁଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ଗେହଲଟ୍, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ସେ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ବଡ ବୟାନ ରଖିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ଜାତୀୟ ସୀକରଣକୁ ସନ୍ତୁଳିତ ରଖିବା ପାଇଁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଯାଇଛି । ପୂର୍ବରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରାଷ୍ଟ୍ରପତି କରାଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଗୁଜୁରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ପରାଜୟର ଭୟ ଘାରିଥିଲା । ଯେଉଁଥିପାଇଁ ଭୋଟ୍ ସମୀକରଣକୁ ସଜାଡିବା ପାଇଁ ଆଡଭାନୀଙ୍କ ବଦଳରେ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଆସନରେ ବସାଯାଇଥିଲା । ଗେହଲଟଙ୍କ ଏଭଳି ବିବଦାୟୀ ବୟାନ ପରେ ଏବେ ଜୋର ଧରିଛି ଜାତୀୟ ରାଜନୀତି ।