ସୀମାରେ ଭୟଙ୍କର ଗୁଳିବର୍ଷା ! ପାକ୍ ସେନା ଟାର୍ଗେଟରେ ବେସାମରିକ ଅଞ୍ଚଳ

34

କନକ ବ୍ୟୁରୋ: ଜମ୍ମୁ କଶ୍ମୀରର ପୁଂଚ ଜିଲ୍ଲାର ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍ ସେନା ଗୁଳି ବର୍ଷା ଜାରି ରଖିଛି । ସୀମାବର୍ତ୍ତୀ ଭାରତୀୟ ସେନା ପୋଷ୍ଟ ଓ ବେସାମରିକ ଅଞ୍ଚଳକୁ ଟାର୍ଗେଟ କରି ପାକ୍ ଯବାନମାନେ ଭୟଙ୍କର ଗୁଳିଗୋଳା ମାଡ଼ କରିଛନ୍ତି । ଭାରତୀୟ ସେନା ଏହାର ପାଲଟା ଜବାବ ଦେଇଛି । ମନକୋଟ ସେକ୍ଟରରେ ମଧ୍ୟ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି ।

ଭାରତୀୟ ଗ୍ରାମଗୁଡ଼ିକ ଉପରକୁ ପାକିସ୍ତାନ ୧୨୦ ମିମି ମୋର୍ଟାର ମାଡ଼ କରୁଥିବାରୁ ଭାରତ ମଧ୍ୟ ସମାନ ଅସ୍ତ୍ରରେ ଜବାବ ଦେଉଛି । ପୁଂଚ ସେକ୍ଟରରେ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକରୁ ମଧ୍ୟ ଅନବରତ ଗୁଳିମାଡ଼ ଜାରି ରଖିଛନ୍ତି । ୬ଟି ଭାରତୀୟ ପୋଷ୍ଟକୁ ପାକ୍ ସେନା ଟାର୍ଗେଟ୍ କରିଥିଲେ ମଧ୍ୟ କଡ଼ା ପଦକ୍ଷେପ ଯୋଗୁଁ ସମସ୍ତ ପୋଷ୍ଟ ସୁରକ୍ଷିତ ଥିବା ସେନା ପ୍ରବକ୍ତା କହିଛନ୍ତି ।

ଯେ କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ଏହି ଗୁଳି ବର୍ଷା ଜାରି ରଖିଥିବାରୁ ଭାରତୀୟ ସେନା ମଧ୍ୟ ଯଥୋଚିତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି । ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପାକ୍ ସେନା ଗୁଳିବର୍ଷା କରୁଛି ।

ତେବେ ଅନୁପ୍ରବେଶ ହେଉଥିବା ସମସ୍ତ ରାସ୍ତା ଉପରେ ସେନାର ସତର୍କ ନଜର ଯୋଗୁଁ ପାକ୍ ସେନା ହତାଶ ହେଉଛି । ବଡ଼ ଧରଣର ଅନୁପ୍ରବେଶ ଓ ଆକ୍ରମଣ ଆଶଙ୍କା ଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି ।