ଦିଲ୍ଲୀରେ ମହକିଲା ଓଡ଼ିଶା ପଖାଳର ବାସ୍ନା ! ସାଂସଦ ଖାଇଲେ ‘ପଖାଳ’, ଜାଣନ୍ତୁ ଦିଲ୍ଲୀରେ କେଉଁଠି ମିଳିଲା ସାଂସଦଙ୍କୁ ପଖାଳ

115

କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିଲା ପଖାଳ ଦିବସର କ୍ରେଜ । ପଖାଳ ପ୍ରତି ଥିବା ପ୍ରେମ ସଂସଦରେ ଦେଖିବାକୁ ମିଳିଲା । ବିଶ୍ୱ ପଖାଳ ଦିବସ ଅବସରରେ ପଖାଳ ମୋହରୁ ବାଦ ପଡିନାହାନ୍ତି ରାଜନେତା । ସାରା ରାଜ୍ୟରେ ପଖାଳ ଦିବସକୁ ଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ ଦିଲ୍ଲୀରେ ଓଡ଼ିଶା ସାଂସଦଙ୍କ ପଖାଳଖିଆକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ସଂସଦ ଚାଲୁଥିବା ବେଳେ ପଖାଳ ଖାଇବା ପାଇଁ ଓଡ଼ିଆ ସାଂସଦ ମାନେ ଏକାଠି ହୋଇଥିଲେ ଦିଲ୍ଲୀର ହ୍ୱଜ କାସ ସ୍ଥିତ ଜଗନ୍ନାଥ ମନ୍ଦିରରେ । ଉଦଉଦିଆ ଖରାବେଳେ ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପ୍ରସାଦ ଖାଇବା ପରେ ଖୋଜା ପଡିଥିଲା ପଖାଳ କଂସା । ବିଜେଡି ଦଳର ଅଧିକାଂଶ ସାଂସଦଙ୍କୁ ଏହି ପଖାଳ ପାର୍ଟିରେ ଦେଖିବାକୁ ମିଳିଥିଲା । ଯାହା ସାଂସଦଙ୍କ ପଖାଳ ପ୍ରେମକୁ ଦର୍ଶାଉଥିଲା । ଅନ୍ୟ ସାଂସଦଙ୍କ ସହ ପଖାଳ ଖାଉଥିବାର କିଛି ଫଟୋ ବିଜେଡି ସାଂସଦ ତଥାଗତ ସତପଥୀ ନିଜ ଟ୍ୱିଟର ପେଜରେ ଅପଲୋଡ କରିଥିଲେ ।


ପଖାଳ ପ୍ରତି ଭଲପାଇବାକୁ ପୂରା ଦୁନିଆ ଆଗରେ ଦେଖାଇବାକୁ ଭୁଲିନଥିଲେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଜଣେ ଓଡ଼ିଆ ଭାବେ ପଖାଳକୁ ସେ କେତେ ଭଲ ପାଆନ୍ତି ତାହା ସେ ପ୍ଲାକାର୍ଡ ମାଧ୍ୟମରେ ଜଣାଇଥିଲେ । ସଂସଦ ସାମ୍ନାରେ ଅନୁଭବ ଏକ ପ୍ଲାକାର୍ଡ ଧରି ଛିଡା ହୋଇଥିଲେ ଯେଉଁଥିରେ ସେ ପଖାଳକୁ କେତେ ଭଲ ପାଆନ୍ତି ତାହା ଦର୍ଶାଇଥିଲେ । ଏହାଛଡା ପ୍ଲାକାର୍ଡରେ ଆମ ପଖାଳ ଆମ ପାଇଁ ଅମୃତ ବୋଲି ଲେଖିଥିଲେ ଅନୁଭବ ।


ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ପଖାଳ ରାଜନୀତିକୁ ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ଜାନୁଆରୀ ୨୭, ୨୦୧୮ । ଜାତୀୟସ୍ତରର ୪ ବରିଷ୍ଠ ନେତା(ବିଜେପିର ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼ି ଦେବଗୌଡା, ସିପିଏମ ନେତା ସୀତାରାମ ୟେଚୁରୀ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ )ଙ୍କୁ ପଖାଳର ସ୍ୱାଦ ଚଖାଇ ବେଶ ଚର୍ଚ୍ଚା ସାଉଁଟି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ଉନ୍ମୋଚନ ଅବସରରେ ଓଡ଼ିଶା ଆସିଥିବା ଜାତୀୟ ସ୍ତରର ଏହି ୪ ବରିଷ୍ଠ ନେତାଙ୍କୁ ଓଡ଼ିଶାର ଦେଶୀ ଖାଦ୍ୟର ସ୍ୱାଦ ଚଖାଇଥିଲେ ବିଜେଡି ସୁପ୍ରିମୋ ।

ପୂରା ଦେଶୀ ଷ୍ଟାଇଲରେ ପରଷା ଯାଇଥିଲା ଦେଶୀ ଖାଦ୍ୟ । ଡାଇଡ଼ିଂ ଟେବୁଲ ଉପରେ କଦଳୀ ପତ୍ରରେ ପରଷାଗଲା ଦେଶୀ ଆଇଟମ । କଦଳୀ ପତ୍ର ଉପରେ ପରଷା ଯାଇଥିଲା ପଖାଳ, ସଜନା ଛୁଇଁ ଭଜା, ପିଆଜ ପିଠା, ଶାଗ ବଡି ଓ ପ୍ରସିଦ୍ଧ ଛେନା ପୋଡ । ଏହି ନିରାମଷ ଖାଦ୍ୟକୁ ପେଟଭରି ଖାଇଥିଲେ ୪ ନେତା । ନବୀନ ମଧ୍ୟ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ୪ ନେତାଙ୍କ ସହ ମିଶି ଖାଉଥିବାର ଫଟୋ ଟ୍ୱିଟରରେ ସେୟାର କରିଥିଲେ ନବୀନ । ପ୍ରଥମ ଥର ପାଇଁ ରାଜନୀତିରେ ପଖାଳକୁ ନେଇ ଚର୍ଚ୍ଚା ହୋଇଥିଲା । ଆଉ ନବୀନଙ୍କ ଏହି ଆଇଡିଆକୁ ସେତେବେଳେ ସାଧାରଣରେ ବେଶ ପ୍ରଂଶସା କରାଯାଇଥିଲା । ଆଉ ଏହା ପାଲଟିଯାଇଥିଲା ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ପଖାଳ ।

ବାସ୍ତବରେ ପ୍ରତିଟି ଓଡ଼ିଆ ଏବଂ ଓଡ଼ିଆ ମାନଙ୍କ ହୃଦୟର କଥା ବୁଝିଥାଏ ଏହି ପଖାଳ । ଓଡ଼ିଶାର ପଖାଳର ସ୍ୱାଦ ପ୍ରକୃତରେ ଅତୁଳନୀୟ , ଯିଏ ଥରେ ଏହି ଓଡ଼ିଶାର ପଖାଳ ଖାଇଛି ସେ ସବୁ ସମୟରେ ଓଡ଼ିଶା ଏବଂ ଓଡ଼ିଆମାନଙ୍କୁ ଝୁରିହୋଇଛି । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ପଖାଳ ଦିବସ ।