ଖବରଦାର ପାକିସ୍ତାନ ! ଆମ ପାଇଲଟଙ୍କୁ ଯେପରି ଟିକିଏ ବି କ୍ଷତି ନ ପହଞ୍ଚେ, ପାକିସ୍ତାନକୁ କଡା ଚେତାବନୀ ଦେଲା ଭାରତ

722

ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ଏବଂ ସୀମାରେ ଯୁଦ୍ଧ ଭଳି ସ୍ଥିତି ଭିତରେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ୍ ହୋଇଯିବା ଖବର ସମସ୍ତଙ୍କୁ ବିଚଳିତ କରିଛି । ଏପରିକି ଭାରତର ପାଇଲଟଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିବା ପରେ ଆକ୍ସନମୋଡକୁ ଆସିଛି ଭାରତ । ଖାସକରି ସୋସିଆଲ ମିଡିଆରେ ବାୟୁସେନାର ଯବାନଙ୍କୁ ମାରପିଟ୍ କରୁଥିବାର ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଭାରତ ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ପାକିସ୍ତାନ ଭାରତୀୟ ବାୟୁସେନା ଯବାନଙ୍କ ସହ ଏଭଳି ବ୍ୟବହାର କରି ଜେନେଭା ଚୁକ୍ତିର ଉଲ୍ଲଂଘନ କରିଛି । ଏନେଇ ଭାରତ ନୂଆଦିଲ୍ଲୀରେ ଥିବା ପାକ୍ ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିବା ସହ ଚେତାବନୀ ଦେଇଛି, ଭାରତୀୟ ପାଇଲଟଙ୍କୁ ଯେମିତି ଟିକିଏ ବି କ୍ଷତି ପହଞ୍ଚେ । ଭାରତୀୟ ପାଇଲଟଙ୍କୁ ସୁରକ୍ଷିତ ଓ ତୁରନ୍ତ ଫେରାଇ ଦେବାକୁ ପାକିସ୍ତାନକୁ କହିଛି ଭାରତ ।

ଏହାପୂର୍ବରୁ ପାକିସ୍ତାନ ଭାରତର ଦୁଇ ବାୟୁସେନା ଯବାନଙ୍କୁ ଗିରଫ କରିଥିବା କହିଥିଲା । ଏପରିକି ଜଣେ ଯବାନଙ୍କ ଭିଡିଓ ମଧ୍ୟ ଜାରି କରିଥିଲା । ଯେଉଁଥିରେ ଭାରତୀୟ ପାଇଲଟ ଆହତ ଥିବା ବେଳେ ତାଙ୍କର ଆଖି ବନ୍ଧା ଥିଲା । ଆଉ ଏଭଳି କରି ଜେନେଭା ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ଭାରତ । କାରଣ ଜେନେଭା ଚୁକ୍ତି ଅନୁଯାୟୀ, କୌଣସି ବି ଦେଶ ଅନ୍ୟ ଦେଶର ଯୁଦ୍ଧ ବନ୍ଦୀ ଯବାନଙ୍କ ପ୍ରତି ଅମାନବୀୟ ବ୍ୟବହାର କରିପାରିବ ନାହିଁ । ଏହି ଚୁକ୍ତିରେ ୧୯୬ଟି ସ୍ୱାକ୍ଷର କରିଥିବା ବେଳେ ଏବେ ପାକିସ୍ତାନ ଭାରତୀୟ ଯବାନଙ୍କ ଭିଡିଓ ଜାରି କରି ଏହାର ଉଲ୍ଲଂଘନ କରିଛି ।