ସଚିବାଳୟରେ ପାକ୍ ହାଇକମିଶନର: ନବୀନଙ୍କୁ ଭେଟିଲେ, ବିଶ୍ୱକପ ଆୟୋଜନ ପାଇଁ ଜଣାଇଲେ ଧନ୍ୟବାଦ

କହିଲେ, ଦକ୍ଷିଣ ଏସିଆରେ ହକିର ଲୋକପ୍ରିୟତା ପାଇଁ ହେବ ସହାୟକ

224

କନକ ବ୍ୟୁରୋ: ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦ । ବିଶ୍ୱକପ ହକି ଦେଖିବା ଲାଗି ସୋହେଲ ମହମ୍ମଦ ଭୁବନେଶ୍ୱର ଆସିଥିଲେ । ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଶ୍ୱକପ ଆୟୋଜନ ପାଇଁ ଧନ୍ୟବାଦ ଦେଇଛନ୍ତି । କ୍ରୀଡା କ୍ଷେତ୍ରରେ ପ୍ରଚାର ପ୍ରସାର ଓ ଅବଦାନ ପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଯାଇଛି । ସୋହେଲ ମହମ୍ମଦ କହିଛନ୍ତି, ଦକ୍ଷିଣ ଏସିଆ ଦେଶଗୁଡିକରେ  ହକିର ଲୋକପ୍ରିୟ ପାଇଁ ଏହି ବିଶ୍ୱକପ ହକି ସହାୟକ ହେବ ।

ଗତକାଲି କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ଦୁଇଟି ଲଢେଇ । ପୁଲ-ଡି ଶେଷ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଥିଲା ନେଦରଲାଣ୍ଡ । ନେଦରଲାଣ୍ଡ ପୂର୍ବରୁ ୩ ପଏଂଟ ପାଇଥିବା ବେଳେ ଗତକାଲି  ପୁଣି ଟିମକୁ ୩ ପଏଂଟ୍ ମିଳିଛି । ସେହିପରି ପୁଲ-ଡିର ଅନ୍ୟ ଏକ ମ୍ୟାଚରେ ମାଲେସିଆକୁ ୫-୩ ଗୋଲରେ ପରାସ୍ତ କରିଥିଲା ଜର୍ମାନୀ । ଏଥିସହ ପୁଲ୍-ଡି ଟପରେ ରହି ଜର୍ମାନୀ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପୁର୍ବରୁ ଦୁଇଟି ମ୍ୟାଚ୍ ଜିତି ୬  ପଏଂଟ ହାସଲ କରିଥିବା ବେଳେ ଗତକାଲି  ଆଉ ୩ ପଏଂଟ ଦଳକୁ ମିଳିଥିଲା । ତେବେ ଏହି ମ୍ୟାଚ ପରେ ଶେଷ ଦଳ ଭାବେ ମାଲେସିଆ ବିଶ୍ୱକପରୁ ବାହାରି ଯାଇଛି ।

ଆଜି  ହକି ବିଶ୍ୱକପରେ ଦୁଇଟି କ୍ରସ୍ ଓଭର ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ସେହିପରି ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଚୀନ୍  । ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଚୂଡାନ୍ତ ହୋଇସାରିଛି । ଚାରୋଟି ଗ୍ରୁପର ଶ୍ରେଷ୍ଠ ଦଳ ଭାବେ ଜର୍ମାନୀ, ଭାରତ, ଅଷ୍ଟ୍ରେଲିଆ ଏବଂ ଆର୍ଜେଂଟିନା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି । ସେହିପରି ଚାରିଟି ଗ୍ରୁପର ଶେଷ ଦଳ ଭାବେ ଆୟର୍ଲାଣ୍ଡ, ସ୍ପେନ୍, ଦକ୍ଷିଣ  ଅଫ୍ରିକା ଏବଂ ମାସେଲିଆ ବାଦ୍ ପଡିଛନ୍ତି ।

Comments are closed.