ପାକିସ୍ତାନକୁ ଭାରି ପଡ଼ିବ ଆକାଶପଥ ନଖୋଲିବା ପ୍ରସଙ୍ଗ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ଦ୍ୱାରସ୍ଥ ହେଲା ଭାରତ, ଇସଲାମାବାଦ ଆକାଶ ଦେଇ ପ୍ରଧାନମନ୍ତ୍ରୀଙ୍କ ବିମାନ ଯିବାପାଇଁ ଅନୁମତି ଦେଇନି ପାକ୍

1,161

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଲାନି ପାକିସ୍ତାନ । ଫଳରେ ଏହି ପ୍ରସଙ୍ଗକୁ ବିଶ୍ୱ ଦରବାରକୁ ଯାଇଛି ଭାରତ । ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନରେ ପାକ୍ ବିରୋଧରେ ଅଭିଯୋଗ ଆଣିଛି ଭାରତ । ନିୟମ ଅନୁସାରେ କୌଣସି ଦେଶର ଆକାଶପଥ ବ୍ୟବହାର କରିବା ପାଇଁ ଅନୁମତି ଲୋଡା ଥାଏ ଏବଂ ସେହି ଦେଶ ମଧ୍ୟ ନିୟମ ଅନୁଯାୟୀ ଅନୁମତି ପ୍ରଦାନ କରିଥାଏ । ମୋଦିଙ୍କ ବିଦେଶ ଗସ୍ତରେ ଯିବା ପାଇଁ ପାକିସ୍ତାନର ଆକାଶ ପଥ ବ୍ୟବହାର କରିବା ଲାଗି ଅନୁମତି ମାଗିଥିଲା ଭାରତ । ତେବେ ଏହି ଅନୁମତିକୁ ପାକିସ୍ତାନ ଅଗ୍ରାହ୍ୟ କରିଦେଇଥିବା ସୂଚନା ଦେଇଛନ୍ତି ପାକ୍ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ।

ପାକ୍ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଜାମ୍ମୁକାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ କରି ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ଉଲ୍ଲେଖ କରାଯାଇଛି । ଆଜିଠାରୁ ଆରମ୍ଭ ହେଉଥିବା ମୋଦିଙ୍କ ବିଦେଶ ଗସ୍ତ ପାଇଁ ଆଜି ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଅନୁମତି ମାଗିଥିଲା ଭାରତ, ଯାହାକୁ ଅଗ୍ରାହ୍ୟ କରିଦେଇଛି ପାକିସ୍ତାନ । ଅକ୍ଟୋବର ୨୯ତାରିଖରେ ସାଉଦି ଆରବରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ସାଉଦି ଆରବ ଗସ୍ତରେ ଯିବେ । ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସାମିଲ ହେବେ । ଏହା ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଉଡାଣ ପାଇଁ ପାକିସ୍ତାନ ତାର ଆକାଶପଥ ବ୍ୟବହାର କରିବା ପାଇଁ ଅନୁମତି ଦେଇନାହିଁ ।

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ବି ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆକାଶପଥ ବ୍ୟବହାର ପାଇଁ ଅନୁମତି ଦେଇନଥିଲା ପାକିସ୍ତାନ । ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ପାଇଁ ମଧ୍ୟ ଆକାଶପଥ ବ୍ୟବହାର ଅନୁମତିକୁ ଅଗ୍ରାହ୍ୟ କରିଦେଇଥିଲା ପାକିସ୍ତାନ ।