ଧରାପଡିଲା ପାକିସ୍ତାନର ଆଉ ଏକ ମିଛ ! ପାକ୍ ସେନା କହିଲା ଆମ ଦେଶରେ ନାହିଁ ଜୈଶର ଆଡ୍ଡା, ଲୁଚିନି ମସୁଦ ଆଜହର

198

କନକ ବ୍ୟୁରୋ : ପୁଣି ଥରେ ପାକିସ୍ତାନର ମିଛ ଧରାପଡିଛି । ଜମ୍ମୁକଶ୍ମର ପୁଲୱାମା ଅବନ୍ତିପୁରା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଭାରତର ଡୋସିୟର ଦେବା ପରେ ପାକିସ୍ତାନର ଆଉ ଏକ ମିଛ ସାମନାକୁ ଆସିଛି । ପାକ୍ ସେନା ମୁଖପାତ୍ର ଆସିଫ୍ ଗଫୁର କହିଛନ୍ତି ପାକିସ୍ତାନରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର କୌଣସି ଆଡ୍ଡା ନାହିଁ । ଏହି ସଂଗଠନ ଉପରେ ଉଭୟ ପାକିସ୍ତାନ ଓ ମିଳିତ ଜାତିସଂଘ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହିତ ପୁଲୱାମା ଆକ୍ରମଣ ପାଇଁ ଜୈସ ନିଜକୁ ଦାୟୀ କରି ଜାରି କରାଯାଇଥିବା ଭିଡିଓ ପାକିସ୍ତାନ ମାଟିରୁ କରାଯାଇ ନଥିଲା ।

ଏପରିକି ପାକ୍ ସେନା କୌଣସି ଚାପରେ ପଡି କିଛି ପଦକ୍ଷେପ ନେଉ ନାହିଁ ବୋଲି ଗଫୁର କହିଛନ୍ତି । ତେବେ ଡୋସିୟର ଦେବା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ମହମ୍ମଦ କୁରେସୀ କହିଥିଲେ ଜୈସ ମୁଖ୍ୟ ମସୁଦ୍ ଅଜହର ପାକିସ୍ତାନରେ ଅଛି । ଏବଂ ସେ ଗୁରୁତର ଭାବେ ଅସୁସ୍ଥ  ହୋଇ ମେଡିକାଲରେ ଚିକିତ୍ସିତ ହେଉଛି । ସେ ଚାଲିବା ଭଳି ପରିସ୍ଥିତିରେ ମଧ୍ୟ ନାହିଁ । ଏହା ସହିତ କୁରେସୀ କହିଥିଲେ ପୁଲୱାମା ଆକ୍ରମଣରେ ମସୁଦର ହାତ ଥିବା ନେଇ ଠୋସ୍ ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ପୁଲୱାମା ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖିଆ  ମସୁଦ୍ ଅଜହର ମାଷ୍ଟରମାଇଣ୍ଡ ଥିଲା ବୋଲି  ପାକ ସରକାରକୁ ଡୋସିୟର ଦେଇଥିଲା ଭାରତ ।