ଅବ୍ୟବସ୍ଥା ଘେରରେ ପାଇକପଡା ପ୍ରାଥମିକ ବିଦ୍ୟାଳୟ ! ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ପିଲା, ଦାୟିତ୍ୱ ଖସାଉଛନ୍ତି ବିଭାଗୀୟ ଅଧିକାରୀ

34

କନକ ବ୍ୟୁରୋ : ସରକାରୀ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ପାଇଁ ସମସ୍ତେ ଦାୟୀ କରୁଛନ୍ତି ଘରୋଇ ଶିକ୍ଷା ବ୍ୟବସ୍ଥାକୁ । ଏପରିକି କେହି କେହି ଶିକ୍ଷାର ଘରୋଇକରଣ ଆଶଙ୍କା ମଧ୍ୟ ବ୍ୟକ୍ତ କରୁଛନ୍ତି । ହେଲେ କାହିଁକି ଜଣେ ସାଧାରଣ ଅବିଭାବକ ସରକାରଙ୍କ ସମସ୍ତ ପ୍ରଲୋଭନକୁ ଏଡାଇ ଘରୋଇ ଶିକ୍ଷା ବ୍ୟବସ୍ଥା ପ୍ରତି ଆକୃଷ୍ଟ ହେଉଛି ତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା କଂଟାପଡା ବ୍ଲକର ପାଇକପଡା ଗାଁରେ । ଏହି ଗାଁର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏବେ ସମ୍ପୂର୍ଣ ଅସୁରକ୍ଷିତ । ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛୋଟ ଛୋଟ ପିଲା । ହେଲେ ସମସ୍ୟା ପ୍ରତି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ବିଭାଗୀୟ ଅଧିକାରୀ ସମସ୍ତେ କେବଳ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାରେ ବ୍ୟସ୍ତ ।

କଟକ ଜିଲ୍ଲା କଂଟାପଡା ବ୍ଲକ ନାହାଳପୁର ପଂଚାୟତର ପାଇକପଡା ପ୍ରାଥମିକ ବିଦ୍ୟାଳୟର । କାହିଁ କେଉଁ କାଳରୁ ଏହି ଗାଁର ପିଲାମାନଙ୍କ ଭବିଷ୍ୟତ ଗଢିବାର ଦାୟିତ୍ୱ ମୁଣ୍ଡାଇଛି ଏହି ବିଦ୍ୟାଳୟ । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହାର ଅବସ୍ଥା ଏବେ ଜୀର୍ଣ୍ଣଶୀର୍ଣ୍ଣ । ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି । ଆଉ କେଉଁଠି ପିଲାଙ୍କ ପଢାଘର ପାଲଟିଛି ଅଳିଆ ଆବର୍ଜନା ଗୃହ । ସେହିପରି ବିଦ୍ୟାଳୟକୁ ଲାଗି ରହିଛି ଏକ ପୋଖରୀ । ପାଚେରୀ ନଥିବାରୁ ଖେଳକୁଦ ବେଳେ ଛୋଟ ପିଲାଙ୍କ ଗୋଡ ଖସି ପୋଖରୀ ଭିତରେ ପଡିଯିବାର ଆଶଙ୍କାକୁ ମଧ୍ୟ ଏଡାଇ ହେବ ନାହିଁ । ଖାଲି ସେତିକି ନୁହେଁ, ବିଦ୍ୟାଳୟକୁ ଆସିବାକୁ ରହିଛି ଏକମାତ୍ର ମାଟି ରାସ୍ତା । ସାମାନ୍ୟ ବର୍ଷା ହେଲେ ଯାହାର ଅବସ୍ଥା ହୋଇପଡେ ଶୋଚନୀୟ ।

ପାଇକପଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ଅଭିଯୋଗ କରିଛନ୍ତି । ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତଙ୍କୁ ସମସ୍ୟା ନେଇ ଅବଗତ କରାଯାଇଛି । ହେଲେ ପାଇକପଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଯେମିତିକୁ ସେମିତି । ଘଟଣାକୁ ନୂଆକରି ଜାଣୁଥିବା ପରି ଅଭିନୟ କରି ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ସମସ୍ତେ । ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ସ୍ଥାନୀୟ ସରପଂଚ । ବ୍ଲକ୍ ଶିକ୍ଷା ଅଧିକାରୀ ମଧ୍ୟ ଏଥିପାଇଁ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ପଂଚାୟତ ସ୍ତରରେ ସମାଧାନ ହେବ ବୋଲି କହିଛନ୍ତି । ତେବେ ଛୋଟପିଲାଙ୍କ ପାଇଁ ବିପଜ୍ଜନକ ହୋଇ ପଡିଥିବା ପାଇକପଡା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା କେବେ ସୁଧୁରୁଛି ତାହା କେବଳ ସମୟ କହିବ ।