ଓଡ଼ିଶା ପାଇଁ ଗର୍ବ ! ସ୍ମାରକୀ ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର, କେନ୍ଦ୍ର ସରକାରଙ୍କ ନିକଟକୁ ଚୂଡାନ୍ତ ଡିଜାଇନ ପଠାଇଲେ ରାଜ୍ୟ ସରକାର

61

କନକ ବ୍ୟୁରୋ : ଖୁବଶୀଘ୍ର ମୁଦ୍ରାରେ ସ୍ଥାନ ପାଇବାକୁ ଯାଉଛି ୧୮୧୭ ପାଇକ ବିଦ୍ରୋହର ଚିତ୍ର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦ୍ୱାରା ଚୂଡାନ୍ତ ହୋଇଥିବା ଡିଜାଇନକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସ୍ମାରକୀ ମୁଦ୍ରାରେ ଏହି ଫଟୋ ଚିତ୍ର ସ୍ଥାନ ପାଇବ । ଏହି ଫଟୋ ଚିତ୍ରରେ ପାଇକ ବିଦ୍ରୋହ ଓ ବିପ୍ଲବୀ ବକ୍ସି ଜଗବନ୍ଧୁ ଘୋଡା ଉପରେ ବସିଥିବାର ଚିତ୍ର ରହିଛି ।

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ସ୍ମାରକୀ ମୁଦ୍ରା ପ୍ରଚଳନ ନିମନ୍ତେ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର । ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହି ସମେତ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ, ବିକେ ଆର୍ଟ କଲେଜର ଅଧ୍ୟାପକ ତଥା ଶିଳ୍ପୀ ଗଜେନ୍ଦ୍ର ସାହୁ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସାମିଲ ଥିଲେ । ୪ ଥର ବୈଠକ ପରେ ୪ଟି ଫଟୋ ବଛାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା । ତନ୍ମମଧ୍ୟରୁ ଗୋଟିଏ ଫଟୋକୁ ମନୋନିତ କରାଯାଇଛି ।