ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ପାଇକ ବିଦ୍ରୋହ !

82

କନକ ବ୍ୟୁରୋ : ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ପାଇକ ବିଦ୍ରୋହ । ୨୦୧୮ ବର୍ଷ ସିବିଏସଇ ପାଠ୍ୟ ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ପାଇବ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର । ସରକାର ଏଥିପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା ସେ କହିଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ ଧୁମଧାମରେ ଆୟୋଜିତ ହେଉଛିି । ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପାଇକ ମାନଙ୍କ ବିଭିନ୍ନ କଳା କୌଶଳ ଦେଖିବାକୁ ମିଳିଥିଲା । ବ୍ରହ୍ମଗିରି ଏବଂ ଖୋର୍ଦ୍ଧା ଅଂଚଳର ପାଇକ ଆଖଡା ସଂଘ ପକ୍ଷରୁ ପାଇକ ବିଦ୍ରୋହର ରଣକୌଶଳକୁ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର । ସ୍ୱାଧିନତା ଆନ୍ଦୋଳନରେ ପାଇକମାନଙ୍କ ଭୁମିକାକୁ ପ୍ରଶଂସା କରିଥିଲେ ଜାବଡେକର ।

ବ୍ରିଟିସଙ୍କ ନଜରରେ ପାଇକଙ୍କ ସଂଗ୍ରାମ କେବଳ ଏକ ବିଦ୍ରୋହ ଥିଲା। ମାତ୍ର ଏହା ସ୍ୱାଧୀନତା ସଂଗ୍ରାମର ମୂଳ ଭିତ୍ତି ଥିଲା । ଏବେ ପାଇକ ବିଦ୍ରୋହ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ । କେବଳ ଲେଖାଯିବନି, ବରଂ ଏହି ସଂଗ୍ରାମର ବିସ୍ତତ ବିବରଣୀ ପୁସ୍ତକରେ ବର୍ଣ୍ଣିତ ହେବ । ଦେଶର ସ୍ୱାଧୀନତା ସଂଗ୍ରାମର ଏହି ଗୌରବମୟ ଇତିହାସକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯିବ ।

ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଚିଲିକାର ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରି, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଡ.ଦିଲ୍ଲୀପ ଶ୍ରୀଚନ୍ଦନ, ପୃଥ୍ଵୀରାଜ ହରିଚନ୍ଦନ ଏବଂ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ଆକର୍ଷଣୀୟ ନୃତ୍ୟରେ ଗଣେଶ ବନ୍ଦନା ପ୍ରସ୍ତୁତ କରିଥିଲେ ।

ଦ୍ୱିତୀୟ ପ୍ରସ୍ତୁତିରେ ସଚ୍ଚି ରାଉତରାୟଙ୍କ କାଳଜୟୀ ରଚନା ‘ଛୋଟ ମୋର ଗାଁ’ଟି’ ନୃତ୍ୟ ନାଟିକା ପରିବେଷିତ ହୋଇଥିଲା । ନିରଂଜନ ରାଉତଙ୍କ ନୃତ୍ୟ ସଂଯୋଜନା, ରାମହରି ଦାସଙ୍କ ସଂଗୀତ ସଂଯୋଜନା ଏବଂ ଶ୍ରୀନିବାସ ଘଟୁଆରୀଙ୍କ ସଂଳାପ ରଚନାରେ ମଞ୍ଚାୟନ ଏହି ନୃତ୍ୟ ନାଟିକାରେ ଗାଁ’ମାଟିର ମହକକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲେ କଳାକାରବୃନ୍ଦ । ତାଙ୍କ ପରେ ମୟୂରୀ ନୃତ୍ୟ ସଂଗଠନ ଦ୍ୱାରା ଛଉ ନୃତ୍ୟ, ଦଶ ଅବତାର ନାଟ୍ୟଶାଳା ଦ୍ୱାରା ସମ୍ବଲପୁରୀ ନୃତ୍ୟ ଏବଂ ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା । ସଭା ସହ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।