ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ: ସଅଳ ନୀତି ସାଙ୍ଗକୁ ବାହାରିବ ସଅଳ ଅବଢା, ସକାଳୁ ସକାଳୁ ପହିଲି ଭୋଗ ପାଇବାକୁ ଭକ୍ତଙ୍କ ଭିଡ

98

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ସକାଳୁ ସକାଳୁ ଭକ୍ତ ପାଇଛନ୍ତି ପହିଲି ଭୋଗ । ଏହାଛଡା ସଅଳ ନୀତି ସାଙ୍ଗକୁ ସଅଳ ଅବଢା ବି ବାହାରିବ । ଆଜିଠାରୁ ଜାନୁଆରୀ ୧୩ ତାରିଖ ଯାଏଁ ପହିଲି ଭୋଗ ନୀତି ହେବ । ଏଥିଲାଗି ପ୍ରତ୍ୟେକ ଦିନ ରାତି ୩ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ଓ ରାତି ୧୧ଟାରେ ପହୁଡ ହେବ । କେବଳ ଡିସେମ୍ବର ୩୧ରେ ସଅଳ ପହୁଡ ଓ ନୂଆବର୍ଷ ଦିନ ସଅଳ ଦ୍ୱାରଫିଟା ନୀତି ହେବ । ଏହି ଦିନ ସାଢେ ୯ଟାରେ ପହୁଡ ହୋଇ ରାତି ୨ଟାରେ ଦ୍ୱାରଫିଟା ନୀତି ହେବ ।

ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା, ସାଢ଼େ ୩ଟାରେ ଭିତରଶୋଧ, ୩ଟା ୪୫ରେ ମଙ୍ଗଳ ଆଳତି ଓ ରୋଷହୋମ, ଭୋର ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ୫ଟାରେ ଅବକାଶ, ୫ଟା ୪୫ରେ ସୂର‌୍ୟ୍ୟପୂଜା, ସକାଳ ୬ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୬ଟା ୨୦ରୁ ୬ଟା ୫୦ ଭିତରେ ପହିଲି ଭୋଗ, ସାଢ଼େ ୭ଟାରୁ ୯ଟା ସକାଳ ଧୂପ (କୋଠ ଭୋଗ), ସକାଳ ୯ଟା୨୦ରୁ ୧୦ଟା ମଇଲମ ଓ ବେଶ, ୮ଟା ୪୫ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ) ।

ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ଣ ୨ଟା ଦ୍ବିତୀୟ ଭୋଗ ମଣ୍ଡପ, ଅପରାହ୍ଣ ସାଢ଼େ ଗୋଟାଏରେ ଦକ୍ଷିଣି ଘର ଭୋଗ ଶେଷ, ସାଢ଼େ ୨ଟାରେ ଦିବା ପହୁଡ଼, ସାଢ଼େ ୪ଟାରେ ଦ୍ବାରଫିଟା, ସଂଧ୍ୟା ୫ଟାରେ ସଂଧ୍ୟା ଆଳତି, ସଂଧ୍ୟା ୫ଟାରୁ ୬ଟା ମଇଲମ ଓ ବେଶ, ସାଢ଼େ ୬ଟାରୁ ରାତି ୮ଟା ସଂଧ୍ୟା ଧୂପ, ସାଢ଼େ ୮ଟାରେ ମଇଲମ, ରାତି ୯ଟାରେ ଚନ୍ଦନ ଲାଗି, ରାତି ୧୦ଟାରେ ବଡ଼ସିଂହାର ବେଶ, ସାଢ଼େ ୧୦ଟାରେ ବଡ଼ସିଂହାର ଭୋଗ, ୧୦ଟା ୪୫ରେ ଟୋପରଲାଗି ଏବଂ ୧୧ଟାରେ ରାତ୍ର ପହୁଡ଼ ହେବ।ଶ୍ରୀମନ୍ଦିରରେ ଆଜିଠାରୁ ପହିଲି ଭୋଗ ନୀତି ଆରମ୍ଭ ହେଉଛି। ସଅଳ ନୀତି ସାଙ୍ଗକୁ ସଅଳ ଅବଢ଼ା ବି ବାହାରିବ। ଏ ନେଇ ଛତିଶା ନିଯୋଗ ସବୁଥିରେ ମୋହର ମାରିଛି।