ଥାନାରେ ଚାନ୍ଦା ମାଗିବା ଅଭିଯୋଗ ! ଯୁବକଙ୍କୁ ଘରୁ ଟେକି ନେଇ ନିସ୍ତୁକ ପିଟିଲା ପୁଲିସ୍

22

କନକ ବ୍ୟୁରୋ : ଭୁବନେଶ୍ୱର ଉପକଂଠ ପାହାଳ ଥାନା ଜୟପୁରର ବିଶ୍ୱଜିତ ରାଉତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଉଠାଇ ଆଣି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରିବାରର ମହିଳା ସଦସ୍ୟଙ୍କ ପ୍ରତିବାଦ ସତ୍ୱେ କିଛି ଶୁଣିନଥିଲେ ପୁଲିସ୍ କର୍ମଚାରୀ । କଂକ୍ରିଟ ରାସ୍ତାରେ ପାଦ ଘୋଷାରି ଘୋଷାରି ନେବା ସହ ଏକ ପାଇପରେ ନିସ୍ତୁକ ମାଡ ମାରିଥିବା କହିଛନ୍ତି ଗ୍ରାମବାସୀ ।

କେଉଁ ଦୋଷରେ ପୁଲିସ୍ ତାଙ୍କୁ ଉଠାଇଥିଲା ବୋଲି ପଚାରିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ତେବେ ପୁଲିସର ଏଭଳି ବର୍ବରତାର ପ୍ରତିବାଦ କରିଥିଲେ ଗାଁ ଲୋକ । ଆଉ ବିଶ୍ୱଜିତଙ୍କୁ ଧରି ଶତାଧିକ ଗ୍ରାମବାସୀ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ଘଟଣାରେ ସଂପୃକ୍ତ ପାହାଳ ଥାନାର ପୁଲିସ୍ ଅଧିକାରୀଙ୍କ ବିରୋଧରେ ୨୪ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ସେପଟେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯୁବକଙ୍କ ବିରୋଧରେ ଥାନାରେ ଚାନ୍ଦା ମାଗିବା ଅଭିଯୋଗ ରହିଛିି । ସେହିପରି ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହେବା ଭୟରେ ଗ୍ରାମବାସୀ ଆନ୍ଦୋଳନ କରୁଥିବା ସେ ସୂଚନା ଦେଇଛନ୍ତି ଡିସିପି  ।