ପରଦାକୁ ଆସିଲା ପଦ୍ମାବତ୍, ପଦାରେ ପଡ଼ିଲା କରନୀ ସେନାର ମିଛ ଅଭିଯୋଗ! ଆଲ୍ଲାଉଦ୍ଦିନ ଖିଲିଜଙ୍କ ସହ ପଦ୍ମାବତୀଙ୍କ ରୋମାନ୍ସ କଥା ମିଛ

55

କନକ ବ୍ୟୁରୋ : ରିଲିଜ ହୋଇଛି ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ଫିଲ୍ମ ପଦ୍ମାବତ୍ । ତେବେ ଚଳଚିତ୍ର ପରଦାକୁ ଆସିବା ପରେ ସତ ସାମନାକୁ ଆସିଛି । ଏହି ଫିଲ୍ମ ଦେଖିବା ପରେ ଓଡ଼ିଶାର ଦର୍ଶକ କହିଛନ୍ତି, କର୍ଣ୍ଣି ସେନାର ଅଭିଯୋଗ ଅମୂଳକ । ସେପରି କୌଣସି ବିବାଦୀୟ ଦୃଶ୍ୟ ଚଳିଚିତ୍ରରେ ନାହିଁ । ରାଣୀ ପଦ୍ମାବତୀଙ୍କୁ କୌଣସି ପ୍ରକାର ଅସମ୍ମାନ କରାଯାଇନାହିଁ । ତେଣୁ କର୍ଣ୍ଣି ସେନାର ଏତେବଡ଼ ହଙ୍ଗାମା, ବିକ୍ଷୋଭ ଓ ପ୍ରତିବାଦର କିଛି କାରଣ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଦର୍ଶକ ।

ଯେଉଁ ପଦ୍ମାବତ୍ ଚଳଚିତ୍ରକୁ ନେଇ ସାରା ଦେଶରେ ନିଆଁ ଜଳୁଛି ଏବଂ ଯେଉଁ କାରଣ ପାଇଁ ରାଜପୁତ ସଂପ୍ରଦାୟ ସାରା ଦେଶରେ ଉତ୍ପାତ କରୁଛନ୍ତି, ପ୍ରକୃତରେ ଆଜି ଫିଲ୍ମ ଦେଖିବା ପରେ ଏସବୁ ପ୍ରତିବାଦର କିଛି ଆଧାର ନାହିଁ ବୋଲି ଅନୁଭବ କରିଛନ୍ତି ଓଡ଼ିଶାର ଦର୍ଶକ । ପ୍ରାୟ ୮୦୦ ବର୍ଷ ତଳର ଏହି କାହାଣୀରେ ପଦ୍ମାବତୀଙ୍କୁ ଭୁଲ ଭାବରେ ଚିତ୍ରଣ କରି ସୁଲତାନ ଆଲାଉଦିନ ଖିଲିଜଙ୍କ ସହ ରୋମାନ୍ସ କରୁଥିବାର ଦୃଶ୍ୟ ପରିବେଷଣ କରିଥିବା ଅଭିଯୋଗ କରି ପ୍ରତିବାଦ କରି ଆସୁଛି କରଣୀ ସେନା । କିନ୍ତୁ ଓଡ଼ିଶାର ଯୁବ ଗୋଷ୍ଠୀ ଅନୁଭବ କରୁଛନ୍ତି କରଣୀ ସେନା ଚଳଚିତ୍ର ନଦେଖି ଏଭଳି ଅଭିଯୋଗ ଆଣୁଛନ୍ତି ।

ସେପଟେ ଦେଶର ବିଭିନ୍ନ ଅଂଚଳରେ କର୍ଣ୍ଣି ସେନା ପଦ୍ମାବତ୍କୁ ରୋକିବାକୁ କରିଛି ଶେଷ ଉଦ୍ୟମ । କେଉଁଠି ସିନେମା ହଲ୍ ଉପରେ ହୋଇଛି ଆକ୍ରମଣ ତ କେଉଁଠି ପୋଡ଼ାଜଳା । ଏପରିକି ଗୁରୁଗ୍ରାମରେ ସ୍କୁଲ ପିଲା ବି ବର୍ତିନାହାନ୍ତି ପଦ୍ମାବତ୍ ତାତିରୁ । ଗତକାଲି ଏକ ସ୍କୁଲ ବସ ଉପରେ ଠେଙ୍ଗା ଓ ପଥର ଫିଙ୍ଗି ସ୍କୁଲ ବସ ଉପରେ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ । ସ୍କୁଲ ପିଲାଙ୍କ ଭୟଭୀତ କରି ଆତଙ୍କରାଜ ଚଳାଇଥିଲା ରାଜପୁତ ସଂଗଠନ । ଏବଂ ଅଳ୍ପକେ ବର୍ତି ଯାଇଥିଲେ ୩୦ ଜଣ ସ୍କୁଲ ପିଲା ।ଏଭଳି ଭୟଙ୍କର ଆତଙ୍କରାଜ ସୃଷ୍ଟି କରୁଥିବା କର୍ଣ୍ଣି ସେନାର ପ୍ରତିବାଦର ଯେ କୌଣସି କାରଣ ନାହିଁ, ତାହା ଚଳଚିତ୍ର ମୁକ୍ତିଲାଭ ପରେ ସ୍ପଷ୍ଟ ହୋଇଯାଇଛି ।